ତୃତୀୟ ଥର ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂ

ନୂଆଦିଲ୍ଲୀ, ୧୭/୦୪ : କ୍ରମାଗତ ତୃତୀୟ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ପଦବୀ ସମ୍ଭାଳିବେ ହରିବଂଶ ନାରାୟଣ ସିଂ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିବଂଶଙ୍କୁ ଶୁଭେଚ୍ଛା ଜଣାଇ ଏହାକୁ ତାଙ୍କ ନେତୃତ୍ୱ ଏବଂ କାର୍ଯ୍ୟଶୈଳୀ ଉପରେ ଗୃହର ଗଭୀର ବିଶ୍ୱାସର ପ୍ରତିଫଳନ ବୋଲି କହିଛନ୍ତି। ହରିବଂଶଙ୍କ କାର୍ଯ୍ୟକାଳ ଏପ୍ରିଲ ୯ ତାରିଖରେ ଶେଷ ହେବା ପରେ ଉପାଧ୍ୟକ୍ଷ ପଦବୀ ଖାଲି ପଡ଼ିଥିଲା। ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ରାଜ୍ୟ ପରିଷଦର କାର୍ଯ୍ୟପ୍ରଣାଳୀ ଏବଂ କାର୍ଯ୍ୟ ଆଚରଣ ନିୟମ ୭ ଅନୁଯାୟୀ ନିର୍ବାଚନ ପାଇଁ ଶୁକ୍ରବାରକୁ ତାରିଖ ସ୍ଥିର କରିଥିଲେ। ପ୍ରସ୍ତାବ ନୋଟିସ ଗ୍ରହଣ କରିବାର ଶେଷ ତାରିଖ ଏବଂ ସମୟ ଗୁରୁବାର ଦିନ ମଧ୍ୟାହ୍ନ ୧୨ଟା ଥିଲା। ହରିବଂଶ ତାଙ୍କ ସପକ୍ଷରେ ପାଞ୍ଚଟି ନୋଟିସ ପାଇଥିଲେ । କିନ୍ତୁ ବିରୋଧୀ ବିରୋଧୀ ଦଳ ପକ୍ଷରୁ କୌଣସି ପ୍ରାର୍ଥୀ ପ୍ରସ୍ତାବ ଦାଖଲ କରାଯାଇନଥିଲା । ସାତ ବର୍ଷ ଧରି ଲୋକସଭାରେ ଉପବାଚସ୍ପତି ନିଯୁକ୍ତି କରିବାରେ ମୋଦି ସରକାରଙ୍କ ବିଫଳତାର ପ୍ରତିବାଦ କରି ବିରୋଧୀ ଦଳ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ବିଜେପି ସାଂସଦ ସୁରେନ୍ଦ୍ର ସିଂହ ନାଗରଙ୍କ ସମର୍ଥନରେ ନୋଟିସ୍ ଦାଖଲ କରିଥିଲେ । ଜେଡି(ୟୁ) ସାଂସଦ ଏବଂ କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଝା, ଆରଏଲଏମ୍ ସାଂସଦ ଉପେନ୍ଦ୍ର କୁଶୱାହା ସମର୍ଥନ କରି ଆଉ ଏକ ନୋଟିସ ଆଗତ କରିଥିଲେ। ପ୍ରଧାନମନ୍ତ୍ରୀ ସଂସଦର ସ୍ୱତନ୍ତ୍ର ଅଧିବେଶନ ଚାଲିଥିବା ସମୟରେ ହରିବଂଶକୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦୀ କହିଛନ୍ତି ଲଗାତାର ତୃତୀୟ ଥର ପାଇଁ ପୁନଃନିର୍ବାଚିତ ହୋଇଛନ୍ତି। ଏହା ଆପଣଙ୍କ ପ୍ରତି ଗୃହର ବିଶ୍ୱାସ ଏବଂ ସମସ୍ତଙ୍କୁ ସାଙ୍ଗରେ ନେବା ପାଇଁ ଆପଣଙ୍କ ପ୍ରୟାସକୁ ପ୍ରତିଫଳିତ କରେ। ଏହା ଆପଣଙ୍କ ଅଭିଜ୍ଞତା ଏବଂ କାର୍ଯ୍ୟଶୈଳୀ ପ୍ରତି ସମ୍ମାନ। ଆପଣଙ୍କ କାର୍ଯ୍ୟକାଳ ମଧ୍ୟରେ ଗୃହର ଶକ୍ତି ଦୃଢ଼ ହେଉଥିବା ପରିଲକ୍ଷିତ ହୋଇଛି ।