୨୫ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ତେଲ ଓ ୫ କୋଟି ଟଙ୍କାର ଗଞ୍ଜେଇ ଜବତ କଲା ପୋଲିସ

ଭୁବନେଶ୍ୱର, ୨୬/୦୨ : ଆଜି କୋରାପୁଟ ଜିଲ୍ଲା ପୋଲିସ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଅସ୍ଥାୟୀ ମାନୁଫ୍ୟାକ୍ଚରିଂ ୟୁନିଟ୍‌ ଉପରେ ଚଢ଼ାଉ କରି ୧୮୦ ଲିଟରରୁ ଅଧିକ ହାଶିଶ ତେଲ ବା ଗଞ୍ଜେଇ ତେଲ ଜବତ କରାଯାଇଛି । ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୨୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେହିପରି ଅନ୍ୟଏକ ଚଢ଼ଉରେ ୫ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଡିଆଇଜି (ଦକ୍ଷିଣାଞ୍ଚଳ)ଙ୍କ ନିର୍ଦ୍ଦେଶକ୍ରମେ କୋରାପୁଟ ଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଗଠନ କରାଯାଇ ଯୋଜନାବଦ୍ଧ ଚଢ଼ାଉ କରାଯାଇଥିଲା। ଓଡ଼ିଶା–ଆନ୍ଧ୍ରପ୍ରଦେଶ ସୀମା ନିକଟସ୍ଥ ପାଡୁଆ ଥାନା ଅଧୀନ ଝୋଲାପୁଟ ଜଙ୍ଗଲ ଅଞ୍ଚଳରେ ଚାଲୁଥିବା ଏକ ଅସ୍ଥାୟୀ ମାନୁଫ୍ୟାକ୍ଚରିଂ ୟୁନିଟ୍‌ ଉପରେ ଚଢ଼ାଉ କରି ୧୮୦ ଲିଟରରୁ ଅଧିକ ହାଶିଶ ତେଲ ବା ଗଞ୍ଜେଇ ତେଲ ଜବତ କରାଯାଇଛି । ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୨୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।ଅଭିଯାନ ସମୟରେ ହାଶିଶ ତେଲ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଓ ଉପକରଣ ମଧ୍ୟ ଜବତ କରାଯାଇଛି। ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ବେଳେ ସେମାନଙ୍କୁ ଗିରଫ କରିବା ପାଇଁ ଚଢଉ ଜାରି ରହିଛି ।

ସେହିପରି ଅନ୍ୟ ଏକ ଅଭିଯାନରେ ନନ୍ଦପୁର ଥାନା ପୋଲିସ ୧୧୪୩ କେ.ଜି. ଗଞ୍ଜେଇ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ । ୨ଟି ମହିନ୍ଦ୍ରା ପିକଅପ୍ ଗାଡ଼ିରେ ଚୋରା ଚାଲାଣ ହେଉଥିବା ସମ୍ପର୍କରେ ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ଗିରଫ ହୋଇଥିବା ୨ ଜଣ ବ୍ୟକ୍ତି କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ୨ ଜଣ ହରିୟାଣାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମାମଲାର ତଦନ୍ତ ଜାରି ରହିଛି। ୧ ଲିଟର ହାଶିଶ ତେଲର ବଜାର ମୂଲ୍ୟ ପ୍ରାୟ ୧ କେଜି ଗଞ୍ଜେଇ ମୂଲ୍ୟଠାରୁ ପ୍ରାୟ ୨୫ ଗୁଣ ଅଧିକ ଥିବାରୁ ଅପରାଧୀମାନେ ଅଧିକ ଟଙ୍କା ରୋଜଗାର କରିବା ଆଶାରେ ଏହା ପ୍ରସ୍ତୁତ କରୁଛନ୍ତି । ପୂର୍ବରୁ ଚିତ୍ରକୋଣ୍ଡା ଥାନା କେଶ ନମ୍ବର ୨୧୩/୨୫ ଅନୁଯାୟୀ ୬୦ କେଜି ହାଶିଶ ତେଲ ଜବତ କରାଯିବା ସହ ଘଟଣାରେ ସମ୍ପୃକ୍ତ ଥିବା ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେହିପରି ଚିତ୍ରକୋଣ୍ଡା ଥାନା କେଶ ନମ୍ବର ୪୦ /୨୬ ଅନୁଯାୟୀ ୨ କେଜି ହାଶିଶ ତେଲ ଜବତ କରାଯାଇ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।