ରିୟାଙ୍କ ଜାମିନ ଆବେଦନ ଶୁଣାଣି ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ସ୍ଥଗିତ, ରହିବାକୁ ପଡିବ ଜେଲରେ

ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଉପରେ ବମ୍ବେ ହାଇକୋର୍ଟ ଶୁଣାଣି ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଆଜି କୋର୍ଟରେ ରିୟାଙ୍କ ଓକିଲ ସତୀଶ ମାନେଶିନ୍ଦ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏନଡିପିଏସ ଅଧୀନରେ ଦାଖଲ ହୋଇଥିବା ଅପରାଧର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯିବା ଉଚିତ। ସେ କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କେନ୍ଦ୍ର ସରକାର ସିବିଆଇକୁ କ୍ଷମତା ଦେଇଛନ୍ତି ତେଣୁ ଏନସିବିର କୌଣସି ଅଧିକାର ନାହିଁ।

ସେ କହିଛନ୍ତି,ଏନସିବି ଦ୍ୱାରା ହୋଇଥିବା ଅନୁସନ୍ଧାନ ଏହାର ଅଧିକାରରେ ଆସୁନାହିଁ ଏବଂ ତାହା ବେଆଇନ ତେଣୁ ଏହାକୁ ଦୃଷ୍ଟିରେ ରଖି ସୁଶାନ୍ତ ମୃତ୍ୟୁରେ ନିଶା କାରବାର ସହିତ ସମ୍ପର୍କିତ ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଉ।

ସେ କହିଛନ୍ତି, ଯେଉଁ ଅପରାଧ ପାଇଁ ରିୟା ଦୋଷୀ ସାବ୍ୟସ୍ତ ହୋଇଥିଲେ ତାହା ବର୍ତ୍ତମାନର ମାମଲାରେ ପ୍ରଯୁଜ୍ୟ ନୁହେଁ। ଧାରା ୩୭ ଅନୁଯାୟୀ ଜାମିନ ଉପରେ ଲାଗିଥିବା ପ୍ରତିବନ୍ଧକ କେବଳ ବାଣିଜ୍ୟିକ ପରିମାଣ ପାଇଁ ପ୍ରଯୁଜ୍ୟ ଏବଂ ରିୟାଙ୍କ କ୍ଷେତ୍ରରେ ତାହା ପ୍ରଯୁଜ୍ୟ ନୁହେଁ।

ଇତି ମଧ୍ୟରେ ରିୟା ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ହେପାଜତକୁ ଅକ୍ଟୋବର ୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୧୧ରେ କୋର୍ଟ ରିୟା, ତାଙ୍କ ଭାଇ ଏବଂ ଅନ୍ୟମାନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। କୋର୍ଟ କହିଥିଲେ ଯେ ଯଦି ତାଙ୍କୁ ଜାମିନରେ ଛାଡି ଦିଆଯାଏ ତେବେ ସେ ଅନ୍ୟ ଅଭିଯୁକ୍ତମାନଙ୍କୁ ସତର୍କ କରାଇ ପାରନ୍ତି ଏବଂ ପ୍ରମାଣ ନଷ୍ଟ କରି ପାରନ୍ତି।