ଉତ୍ତର ଭାରତରେ ପ୍ରବଳ ଜାଡ଼ ସମ୍ଭାବନା

ନୂଆଦିଲ୍ଲୀ: ଗତ କିଛିଦିନ ହେବ ସାରା ଦେଶରେ ଶୀତର ପ୍ରକୋପ ହ୍ରାସ ପାଇଛି । ଭୋର ସମୟରେ ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ପରିଲକ୍ଷିତ ହେଉଛି । କୁହୁଡ଼ି ଯୋଗୁଁ ଲୋକଙ୍କ ଜୀବନ ଯାତ୍ରା ଠପ୍ ହୋଇପଡ଼ିବା ସହ ଗାଡ଼ିମଟର ଚଳାଚଳରେ ବ୍ୟାଘାତ ସୃଷ୍ଟି ହେଉଛି । ଏପରିକି କୁହୁଡ଼ି ପରେ ଖରାର ତେଜ ବୃଦ୍ଧି ପାଉଛି । ତେବେ ଆସନ୍ତା ୨୩ ତାରିଖ ଠାରୁ ପୁଣି ଥରେ ଶୀତର ପ୍ରକୋପ ବୃଦ୍ଧି ପାଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରବଳ ଥଣ୍ଡାରେ ରାଜଧାନୀ ଦିଲ୍ଲୀ ସହ ପୁରା ଉତ୍ତର ଭାରତ ଥରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏପରିକି ଉତ୍ତର ଭାରତର କିଛି ଅଞ୍ଚଳରେ ବର୍ଷା ହେବା ସହ ହିମାଳୟ ପାର୍ବତ୍ୟ ଅଞ୍ଚଳରେ ତୁଷାରପାତ ହେବାର ସମ୍ଭାବନା ରହିଛି । ବର୍ଷା ନେଇ ଆଫଗାନିସ୍ତାନ ଏବଂ ଏହାର ପଡ଼ୋଶୀ ଦେଶରେ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପଞ୍ଜାବ, ହରିୟାଣା, ଚଣ୍ଡିଗଡ ଏବଂ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ହାଲକା ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ସେହିପରି ୨୪ରୁ ୨୭ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ବର୍ଷା ହେବାକୁ ଥିଲା ବେଳେ ୨୫ରୁ ୨୭ ମଧ୍ୟରେ ଉତ୍ତର ରାଜସ୍ଥାନ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇଏମ୍ଡି । ଚଳିତ ମାସ ୨୩ରୁ ୨୭ ତାରିଖ ମଧ୍ୟରେ ପଶ୍ଚିମା ପବନ ଧୀରେଧୀରେ ଉତ୍ତରରୁ ପୂର୍ବ ଦିଗ ମୁହାଁ ହେବ । ବର୍ଷା ଏବଂ ତୁଷାରପାତ ଯୋଗୁଁ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇବ । ବିଶେଷ କରି ସମତଳ ଅଞ୍ଚଳରେ ଏହାର ପ୍ରଭାବ ଅଧିକ ରହିବ । ସେହିପରି ଜାମ୍ମୁକାଶ୍ମୀର, ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବରଫ ବର୍ଷା ହେବାର ଆଶଙ୍କା ରହିଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

SBI AD