ଦିଲ୍ଲୀରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ଚଳାଚଳ ପ୍ରଭାବିତ

ନୂଆଦିଲ୍ଲୀ,୨୧ /୮: ଦେଶର ରାଜଧାନୀ ଦିଲ୍ଲୀରେ ଗତକାଲି ରାତିରୁ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଲାଗି ରହିଛି। ଆଜି ଦିଲ୍ଲୀର ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହିତ ଘଡ଼ଘଡ଼ି ସାଙ୍ଗକୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାରୁ ଯାନ ବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି।

ସଫଦରଜଙ୍ଗ ପାଣିପାଗ କାର୍ଯ୍ୟାଳୟ ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୮.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଚଳିତ ବର୍ଷାଋତୁରେ ଗୋଟିଏ ଦିନରେ ଏହା ସର୍ବାଧିକ ବର୍ଷା। ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର୍‍.କେ.ଜେନାମଣି କହିଛନ୍ତି ରବିବାର ପର୍ଯ୍ୟନ୍ତ ଦିଲ୍ଲୀରେ ବର୍ଷା ଜାରି ରହିବ। ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଜମିରହିଥିବାରୁ ଯାନ ବାହାନ ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଆଜାଦ୍‍ ମାର୍କେଟ୍‍ ଅଣ୍ଡର୍‍ପାସ୍‍ ଜଳମଗ୍ନ ହୋଇଥିବାରୁ ଏହି ପଥ ଦେଇ ନଯିବା ପାଇଁ ଦିଲ୍ଲୀ ଟ୍ରାଫିକ୍‍ ପୋଲିସ୍‍ ସତର୍କ ସୂଚନା ଜାରି କରିଛି। ମିଣ୍ଟୋ ବ୍ରିଜ୍‍ ତଳେ ପାଣି ଜମିବାରୁ ସେହି ରାସ୍ତା ଦେଇ ଯାନବାହାନ ଚଳାଚଳ ବନ୍ଦ ରହିଛି। ମୁଲ୍‍ଚାନ୍ଦ ଅଣ୍ଡରପାସ୍‍, ପ୍ରହଲାଦପୁର ଅଣ୍ଡରପାସ୍‍, ସଞ୍ଜୟ ଟି-ପଏଣ୍ଟ୍‍, ଖାଇବରପାସ୍‍ ଓ ବକରୱାଲା ରେ ପାଣି ଜମି ରହିଛି ।