ଭୁବନେଶ୍ୱର, ୧୩/୧୦ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ଷା ପ୍ରଭାବରେ ଗତକାଲି ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି । ଖାସ୍ କରି ଗଜପତି ଜିଲ୍ଲାରେ ସୋମବାର ରାତିଠାରୁ ବର୍ଷା ଆରମ୍ଭ ହୋଇଛି । ରାତି ସାରା ବର୍ଷା ଲାଗି ରହିଛି । ଜିଲ୍ଲାର ୪ଟି ବ୍ଲକରୁ ପ୍ରାୟ ୫୦୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । କାସିନଗର, ଗୁମ୍ମା, ରାୟଗଡ ଓ ଗୋଶାଣି ବ୍ଲକର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲାର ନଦୀଗୁଡ଼ିକର ଜଳସ୍ତର ବଢ଼ିଛି । ସେହିଭଳି ପାହାଡ଼ ଉପରେ ଥିବା ଲୋକଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ତ୍ୱରିତ୍ୱ ପଦକ୍ଷେପ ନିଆଯାଇଛି ।
ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ପୂର୍ବାହ୍ନ ୮ଟାରୁ ଉପକୂଳବର୍ତ୍ତୀ ଅଂଚଳରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ନବରଂଗପୁର, ରାୟଗଡ଼, ଗଜପତି, କଳାହାଣ୍ଡି ଓ ଗଂଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି । ସେହିପରି ଆଜି ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ରେ ମଧ୍ୟ ମଧ୍ୟମ ଧରଣର ବର୍ଷା ହୋଇପାରେ । ପାଣିପାଗ ବିଭାଗ ପକ୍ଷରୁ ପୂର୍ବରୁ ସତର୍କ ସୂଚନା ଜାରି କରାଯାଇଛି ।