୨୪ରେ ଲଘୁଚାପ, ୨୬ରୁ ପ୍ରବଳ ବର୍ଷା

ଭୁବନେଶ୍ବର,୨୩/୯ : ମିଆଁମାର ଉପକୂଳ ବଙ୍ଗୋପସାଗରରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ବେଳକୁ ଉତ୍ତର ପୂର୍ବ ଓ ସଂଲଗ୍ନ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ୨୪ ତାରିଖ ସନ୍ଧ୍ୟା ସୁଦ୍ଧା ଲଘୁଚାପରେ ପରିଣତ ହେବ। ପରବର୍ତୀ ୪୮ ଘଣ୍ଟା ଅର୍ଥାତ୍‌ ୨୬ ତାରିଖ ରାତି ବେଳକୁ ଏହା ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି। ପ୍ରଭାବରେ ୨୫ ତାରିଖଠାରୁ ଓଡ଼ିଶାରେ ବର୍ଷା ପରିମାଣ ପୁଣିଥରେ ବୃଦ୍ଧି ପାଇବ। ୨୬ ତାରିଖରେ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବି‌ଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଝାଡ଼ଖଣ୍ଡର ଦକ୍ଷିଣ ପୂର୍ବ ଅଞ୍ଚଳରେ ସକ୍ରିୟ ରହିଛି। ମୌସୁମୀ ଜନିତ ନିମ୍ନଚାପ ରେଖା ରାଜସ୍ଥାନରୁ ବାହାରି ବାଲେଶ୍ବର ଦେଇ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଏଥିସହ ଆଉ ନିମ୍ନ ଚାପ ରେଖା ଲଘୁଚାପ କ୍ଷେତ୍ରରୁ ବାହାରି ଅଭ୍ୟନ୍ତରୀଣ ଓଡ଼ିଶା ମଧ୍ୟ ଦେଇ ତେଲେଙ୍ଗାନା ଯାଏ ଲମ୍ବିଛି। ଏହାଦ୍ବାରା ଗୁରୁବାର ସକାଳ ପର୍ଯ୍ୟନ୍ତ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ। ୨୩ ଓ ୨୪ ତାରିଖରେ ସେଭଳି ବର୍ଷାର ସମ୍ଭାବନା ନାହିଁ। ତେବେ ୨୫ରୁ ପୁଣିଥରେ ବର୍ଷା ବଢ଼ିବ। ଉପକୂଳ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୨୬ ତାରିଖରେ ଉପକୂଳ ଜିଲ୍ଲାଗୁଡ଼ିକ ସମେତ ଉତ୍ତର, ଅଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।