ବର୍ଷାର ତାଣ୍ଡବ : ସ୍ଥଗିତ ହେଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ, ୦୩/୦୮ : ସାରା ଦେଶରେ ମୌସୁମୀର ତାଣ୍ଡବ । ଅନେକ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଏବଂ ପଞ୍ଜାବରେ ପରିସ୍ଥିତି ସଙ୍ଗୀନ ରହିଛି । ଲଗାଣ ବର୍ଷା ଯୋଗୁଁ ଅମରନାଥ ଯାତ୍ରାକୁ ନିର୍ଦ୍ଧାରିତ ସମୟର ଏକ ସପ୍ତାହ ପୂର୍ବରୁ ବନ୍ଦ କରିଦିଆଯାଇଛି ଏବଂ ପ୍ରଭାବିତ ରାଜ୍ୟଗୁଡ଼ିକରେ ଉଦ୍ଧାର କାର୍ଯ୍ୟ ପାଇଁ ସେନାକୁ ମୁତୟନ କରାଯାଇଛି । ଜମ୍ମୁ-କଶ୍ମୀରରେ ଲଗାଣ ବର୍ଷା ଏବଂ ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରାକୁ ସୋମବାର ଦିନ ନିର୍ଦ୍ଧାରିତ ସମୟର ଏକ ସପ୍ତାହ ପୂର୍ବରୁ ସମାପ୍ତ ଘୋଷଣା କରାଯାଇଛି । ଶ୍ରୀ ଅମରନାଥଜୀ ଶ୍ରାଇନ ବୋର୍ଡ (SASB) ପକ୍ଷରୁ କୁହାଯାଇଛି ଯେ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ପବିତ୍ର ଗୁମ୍ଫାକୁ ଯାଉଥିବା ରାସ୍ତାଗୁଡ଼ିକ ପ୍ରବଳ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି ଏବଂ ପାହାଡ଼ରୁ ପଥର ଖସିବାର ଆଶଙ୍କା ମଧ୍ୟ ରହିଛି ।

ଚଳିତ ବର୍ଷ ୫୨ ଦିନିଆ ଅମରନାଥ ଯାତ୍ରା ଜୁନ୍ ୨୯ ତାରିଖରୁ ଆରମ୍ଭ ହୋଇଥିଲା ଏବଂ ଏହା ଅଗଷ୍ଟ ୧୯ ତାରିଖରେ ଶେଷ ହେବାର ଥିଲା । କିନ୍ତୁ ଖରାପ ପାଗ ଯୋଗୁଁ ଏହାକୁ ବାରମ୍ବାର ସ୍ଥଗିତ ରଖିବାକୁ ପଡ଼ିଥିଲା । ଚଳିତ ବର୍ଷ ୪.୫ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀ ପବିତ୍ର ଗୁମ୍ଫାର ଦର୍ଶନ କରିସାରିଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ ଏବଂ ପଞ୍ଜାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଏବଂ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି । ଏହି ପରିସ୍ଥିତିର ମୁକାବିଲା ପାଇଁ ଏହି ତିନି ରାଜ୍ୟରେ ଭାରତୀୟ ସେନାକୁ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ନିୟୋଜିତ କରାଯାଇଛି ।