ଆଜି ନନ୍ଦିଘୋଷ ଉପରେ ରାଗ ଶୁଝାଇବେ ମା ଲକ୍ଷ୍ମୀ

ପୁରୀ: ଆଜି ପବିତ୍ର ହେରାପଞ୍ଚମୀ । ବଡ଼ଦାଣ୍ଡରେ ବିଜେ ହେବେ ମହାଲକ୍ଷ୍ମୀ । ଗୁଣ୍ଡିଚାଘରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ରାଗରେ ଭାଙ୍ଗିବେ ନନ୍ଦିଘୋଷ । ଧର୍ମପତ୍ନୀଙ୍କୁ ସାଙ୍ଗରେ ନଆଣି ବଡ଼ଭାଇ ଓ ଭଉଣୀଙ୍କୁ ନେଇ ରଥଯାତ୍ରାରେ ଯାଇଛନ୍ତି ମହାପ୍ରଭୁ । ଏଣୁ ପ୍ରଚଣ୍ଡ ଅଭିମାନରେ ଲକ୍ଷ୍ମୀ ଠାକୁରାଣୀ ମହାପ୍ରଭୁଙ୍କ ନନ୍ଦିଘୋଷ ଉପରେ ରାଗ ଶୁଝାଇବେ । ସେଠାରୁ ରାଗ ତମତମ ହୋଇ ହେରାଗୌରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ି ଯିବେ ଠାକୁରାଣୀ ।

ସୂଚନାନୁଯାୟୀ , ଶୁକ୍ରବାର ଶ୍ରୀମନ୍ଦିରରୁ ମା’ଲକ୍ଷ୍ମୀଠାକୁରାଣୀ ଆସି ଗୁଣ୍ଡିଚାମନ୍ଦିରରେ ବିଜେ ହେବେ ।ରାତି ସାଢେ ୯ଟାରେ ଠାକୁରାଣୀ ଗୁଣ୍ଡିଚାଘର ଜଗମୋହନରେ ବିଜେ ହେବାର ନୀତି ଧାର୍ଯ୍ୟ ହୋଇଛି । ଏହି ନୀତି ବହୁଳ ଦିନପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି । ପ୍ରାତଃ ୪ଟାରେ ଗୁଣ୍ଡିଚାଘର ଦ୍ୱାର ଫିଟି ଚତୁର୍ଦ୍ଧାମୂର୍ତ୍ତିଙ୍କ ମଙ୍ଗଳ ଆଳତି ୫ଟାରେ ବଢିବ ।

ମଇଲମ-ତଡପଲାଗ ନୀତି ସାଢେ ୫ଟା, ଅବକାଶ ୬ଟାରେ ହେବ । ଏହାପରେ ଅନ୍ୟାନ୍ୟ ନୀତି ଓ ବେଶ ବଢ଼ି ଠାକୁରଙ୍କ ସକାଳ ଧୂପ ପୂର୍ବାହ୍ନ ୧୦ଟାରୁ ୧୧ଟା୩୦ ଭିତରେ ହେବ । ୧୨ଟା୩୦ମିନିଟ୍‌ ସୁଦ୍ଧା ଭୋଗମଣ୍ଡପ ସରି ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ , ବେଶ, ମଧ୍ୟାହ୍ନ ଧୂପ(ଘଣ୍ଟଛତା), ଦ୍ୱାଦଶ ଯାତ୍ରା ବନ୍ଦାପନା ୫ଟାରେ ଅନୁଷ୍ଠିତ ହୋଇ ୨ୟ ଭୋଗ ମଣ୍ଡପ ଉଠିିବ ।ସନ୍ଧ୍ୟା ସାଢ଼େ ୬ଟାରେ ଶାଢୀଖଣ୍ଡୁଆ ଲାଗି ହୋଇ ସନ୍ଧ୍ୟାଆରତ ବଢିବ ।