କଟକ : ମା’କୁ ହରାଇଥିବା ଶିଶୁର ଜିମା ମାମୁଁଘର ଅଜା-ଆଈଙ୍କୁ ପ୍ରଦାନ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ସାବାଳକ ହେବା ପର୍ଯ୍ୟନ୍ତ ଶିଶୁର ଜିମା ମାମୁଁଘର ଅଜା-ଆଈଙ୍କୁ ପ୍ରଦାନ କରି ପରିବାର ଅଦାଲତ ଦେଇଥିବା ନିର୍ଦ୍ଦେଶ ବିରୋଧରେ ବାପା ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଝାରସୁଗୁଡ଼ା ପରିବାର ଅଦାଲତଙ୍କ ରାୟ ବିରୋଧରେ ଶିଶୁର ବାପାଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଜିମା ସଂପର୍କିତ ବିବାଦର ଶୁଣାଣି ବେଳେ ଶିଶୁର କଲ୍ୟାଣ ପ୍ରସଂଗକୁ ସର୍ବାଗ୍ରେ ବିଚାରକୁ ନିଆଯିବ। ଏହି ମାମଲାରେ ଜନ୍ମରୁ ୧୧ ବର୍ଷ ପର୍ଯ୍ୟନ୍ତ ଶିଶୁ ଅଜା-ଆଈ ଓ ମାମୁଁଙ୍କ ପାଖରେ ରହିଥିଲା। ଏହି ଅବଧି ଭିତରେ କେବଳ ମାତ୍ର ତିନି ମାସ ବାପାଙ୍କ ପାଖରେ ଶିଶୁ ରହିଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ପରିବାର ଅଦାଲତରେ ଶୁଣାଣି ବେଳେ ଅଜା-ଆଈଙ୍କ ପାଖରେ ରହିବା ତାର ପସନ୍ଦ ବୋଲି ଶିଶୁଟି ପ୍ରକାଶ କରିଥିଲା। ଏଭଳି ସ୍ଥିତିରେ ଶିଶୁର କଲ୍ୟାଣକୁ ଦୃଷ୍ଟିରେ ରଖି ୧୧ ବର୍ଷ ବୟସ ପୂରଣ କରି ସାରିଥିବା ଶିଶୁର ଜିମା ଅଜା-ଆଈ ଓ ମାମୁଁଙ୍କ ସହିତ ରହିବା ସହିତ ବାପାଙ୍କୁ ସାକ୍ଷାତ ପାଇଁ ଅଧିକାର ଦିଆଯିବା ଉଚିତ।
ଅନ୍ୟପକ୍ଷରେ ବାପାଙ୍କୁ ପୁଅ ଠାରୁ ଅଲଗା କରିବା ନ୍ୟାୟାଳୟର କେବେ ଉଦ୍ଦେଶ୍ୟ ନୁହେଁ। ଶିଶୁ ବାପାଙ୍କ ଭଲପାଇବା, ସ୍ନେହ ଓ ଯତ୍ନର ହକଦାର ହୋଇଥିବା ବେଳେ ଏଥିରୁ ତାକୁ ବଞ୍ଚିତ କରାଯିବା ଉଚିତ ନୁହେଁ। ସାବାଳକ ହେବା ପୂର୍ବରୁ ସମୟର ପ୍ରବାହ ସହିତ ପିତା-ପୁତ୍ରଙ୍କ ମଧ୍ୟରେ ଥିବା ଅନ୍ତର ଦୂର ହେବ ବୋଲି ହାଇକୋର୍ଟ ଆଶା ପ୍ରକାଶ କରିଛନ୍ତି। ପିତାଙ୍କ ସହିତ ମୂଲ୍ୟଯୁକ୍ତ ଭାବନାତ୍କମ ସଂପର୍କ ବିକଶିତ କରିବା ପାଇଁ ଶିଶୁକୁ ସୁଯୋଗ ଦିଆଯିବା ଉଚିତ। ଏଥି ପାଇଁ ବାପାଙ୍କୁ ସାକ୍ଷାତ କରିବାକୁ ବା ତାଙ୍କ ସହିତ ୭ରୁ ୧୫ ଦିନ ରହିବାକୁ ଶିଶୁକୁ ଅନୁମତି ଦିଆଯିବା ଆବଶ୍ୟକ। ଏହି କାରଣରୁ ଶିଶୁକୁ ସାକ୍ଷାତ କରିବାକୁ ବାପାଙ୍କୁ ପରିବାର ଅଦାଲତ ଅନୁମତି ଦେଇଥିଲେ। ଏଭଳି ସାକ୍ଷାତ ଅନୁମତି ସହିତ ବାପାଙ୍କୁ ଅବକାଶ ସମୟରେ ପୁଅକୁ ସାଙ୍ଗରେ ବାହାରକୁ ନେବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ପିଲାର ସୁବିଧା ଓ ଇଚ୍ଛାକୁ ବିଚାରକୁ ନେଇ ତଥା ପ୍ରାକ୍ ସୂଚନା ଦେଇ ଏପରି କାର୍ଯ୍ୟକ୍ରମ ସ୍ଥିର କରାଯିବ। ଏ ନେଇ ଅଜା-ଆଈଙ୍କୁ ପୂର୍ବରୁ ସୂଚନା ଦିଆଯିବ। ଅଜା-ଆଈ ମଧ୍ୟ ଶିଶୁ ସହିତ ସାଙ୍ଗରେ ଯାଇ ପାରିବେ ଓ ସମସ୍ତ ଖର୍ଚ୍ଚ ବାପା ବହନ କରିବେ ବୋଲି ହାଇକୋର୍ଟ କହିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କ ବିବାହ ୨୦୧୩ରେ ହୋଇଥିବା ବେଳେ ପତ୍ନୀ ୨୦୧୪ରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ପିଲା ଜନ୍ମର ଦୁଇ ସପ୍ତାହ ଭିତରେ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ଅଜା-ଆଈ, ମାମୁଁ ଶିଶୁକୁ ନିଜ ପାଖରେ ରଖିବା ସହିତ ଆବେଦନକାରୀଙ୍କ ବିରୋଧରେ ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଓ ହତ୍ୟା ନେଇ ଅଭିଯୋଗ କରିଥିଲେ। ଏହାପରେ ଆପୋଷରେ ବିବାଦର ସମାଧାନ ହୋଇଥିବା କୁହାଯାଇଥିଲା। କିଛି ଦିନ ଶିଶୁ ବାପା ପାଖରେ ରହିଥିଲା। ଏହାପରେ ଶିଶୁକୁ ଅଜା-ଆଈ ଓ ମାମୁଁ ପୁଣି ପାଖକୁ ନେଇ ଆସିଥିଲେ। ଶିଶୁର ଜିମା ପାଇଁ ବାପା ପରିବାର ଅଦାଲତରେ ମାମଲା ଦାୟର କରିଥିଲେ। ଶିଶୁର ଜିମା ଅଜା-ଆଈ ଓ ମାମୁଁଙ୍କ ପାଖରେ ରହିବ ବୋଲି ପରିବାର ଅଦାଲତ ରାୟ ଦେଇଥିଲେ। ଶିଶୁକୁ ସାକ୍ଷାତ କରିବା ପାଇଁ ବାପାଙ୍କୁ ପରିବାର ଅଦାଲତ ଅନୁମତି ଦେଇଥିଲେ। ୨୦୨୪, ଅଗଷ୍ଟ ୩୧ର ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ବାପା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
