ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଭୁବନେଶ୍ୱର, ୦୧/୦୮ : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସଧରି ବନ୍ଦ ରହିଥିଲା ଭିତରକନିକା । ତେବେ ଆଜିଠୁ ପର୍ଯ୍ୟଟକ, ଗବେଷକ, ପ୍ରକୃତିକୁ ଭଲ ପାଉଥିବା ଲୋକେ ମିନି-ଆମାଜନ୍‌ ଭିତରକନିକାର ଶୋଭାକୁ ପୁନର୍ବାର ଉପଭୋଗ କରିପାରିବେ । ପ୍ରଥମଥର ପର୍ଯ୍ୟଟକଙ୍କ ପାଇଁ ଚାଲିବ ୪ଟି ବ୍ୟାଟ୍ରି ଚାଳିତ ଗାଡି । ଜୀବନଜନ୍ତୁଙ୍କୁ ନିଆରା ଢଙ୍ଗରେ ଦେଖିବା ପାଇଁ ଗତବର୍ଷଠାରୁ ପର୍ଯ୍ୟଟକମାନଙ୍କ ପାଇଁ ସ୍କାଏ-ୱାକ୍‌ ବ୍ରିଜ୍‌ ନିର୍ମାଣ କରାଯାଇଛି । ଯାହା ପର୍ଯ୍ୟଟକମାନଙ୍କୁ ବେଶ ପସନ୍ଦ ଆସୁଛି । ମ୍ୟାନଗ୍ରୁଭ୍‌ ମେଟା ନର୍ସରୀ ନିକଟରୁ ଆରମ୍ଭ ହୋଇଥିବା ଏହି ସ୍କାଏ-ୱାକ୍‌ ବ୍ରିଜ ଅଧିକ ସଂଖ୍ୟାରେ ହରିଣ ଭିଡ଼ ଜମାଉଥିବା ଦେଖାଯାଉଛି । ଜଙ୍ଗଲ ଭିତରେ ଦୁଇପଟରେ ଗଛ ଥିବା ବେଳେ ନିର୍ମାଣ ହୋଇଛି ଏହି ସ୍କାଏ ୱାକ । ୬୦୦ ମିଟର ଲମ୍ବ ଯାଏ ଏହି ସ୍କାଏ ୱାକ ନିର୍ମାଣ ହୋଇଛି । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରତିଥରରେ ୨୦ଜଣ ଲେଖାଏଁ ପର୍ଯ୍ୟଟକଙ୍କୁ ସ୍କାଏ ୱାକରେ ଛଡ଼ାଯିବ ବୋଲି ରାଜନଗର ବନବିଭାଗ ପକ୍ଷରୁ ଜଣାପଡ଼ିଛି । ପର୍ଯ୍ୟଟକମାନେ ଗୁପ୍ତି, ଚାନ୍ଦବାଲି, ଖୋଳା ଓ ଡାଙ୍ଗମାଳ ପ୍ରଭୃତି ୪ଟି ପ୍ରବେଶ ପଥ ଦେଇ ଭିତରକନିକା ମଧ୍ୟକୁ ପ୍ରବେଶ କରିପାରିବେ । ଭିତରକନିକାରେ ପର୍ଯ୍ୟଟକମାନେ ଜଳପଥରେ ବଉଳା କୁମ୍ଭୀର, ଦେଶୀ ଓ ବିଦେଶୀ ପକ୍ଷୀ, ହରିଣ, ବାର୍‌‌ହା, ସମ୍ବର, ଝିଙ୍କ ଆଦି ନାନା ପଶୁପକ୍ଷୀ ଓ ମ୍ୟୁଜିୟମ ଦେଖିବା ସହ ବନବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ସ୍କାଏ ୱାକ୍‌‌ ବ୍ରିଜ, ୱାଚ୍‌‌ ଟାଓା୍ୱର, ସେଲ୍‌ଫଫି ପଏଣ୍ଟ, ମ୍ୟାନଗ୍ରୁଭ ମେଟା ନର୍ସରୀ, ବୋଟ ଲାଇବ୍ରେରୀ, ସହିଦ ସ୍ତମ୍ଭ, କୁମ୍ଭୀର ପ୍ରଜନନ କେନ୍ଦ୍ର ଆଦି ଦେଖିପାରିବେ । ଯନ୍ତ୍ରଚାଳିତ ବୋଟ ସହ ବନବିଭାଗ ତରଫରୁ ଡାଙ୍ଗମାଳ ଓ ଗୁପ୍ତି ଠାରେ ରହିଥିବା ଫାଇବର ବୋଟରେ ମଧ୍ୟ ପର୍ଯ୍ୟଟକମାନେ ବୁଲି ଭିତରକନିକାର ନୈସର୍ଗିକ ଶୋଭା ଉପଭୋଗ କରିପାରିବେ ।