ରାଜଗାଙ୍ଗପୁର, ୩୦/୧୨: ଆଜି ଦୁଇ ପୂର୍ବତନ ଅନ୍ତର୍ଜାତୀୟ ହକି ତାରକା ଲିଳିମା ମିଞ୍ଜ ଏବଂ ଷ୍ଟାଲିନ ଭିକ୍ଟର ମିଞ୍ଜ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବିହାବନ୍ଧ ଚର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ସକାଳ ୧୦ ଟା ସମୟରେ ବିହାବନ୍ଧ ସ୍ଥିତ ଚର୍ଚ୍ଚ (ପାରିସ)ରେ ଉଭୟ ହକି ତାରକା ଖ୍ରୀଷ୍ଟ ଧର୍ମ ଅନୁଯାୟୀ ପାରମ୍ପରିକ ବେଶ ଭୁଷା ରେ ବନ୍ଧୁ ପରିଜନ ସହ ଚର୍ଚ୍ଚରେ ପହଞ୍ଚିଥିଲେ । ଚର୍ଚ୍ଚର ମୁଖ୍ୟ ଫାଦର ବିପିନ ମାଝୀ ସମସ୍ତଙ୍କ ଉପସ୍ଥିତରେ ଖ୍ରୀଷ୍ଟ ଧର୍ମ ମୁତାବିକ ପବିତ୍ର ପ୍ରାର୍ଥନା ମାଧ୍ୟମରେ ବିବାହ କରାଇଥିଲେ ।
ବିବାହ ଶେଷ ହେବା ପରେ ଉପସ୍ଥିତ ବନ୍ଧୁ ବାନ୍ଧବ ଓ ଆତ୍ମୀୟ ପରିଜନ ନବ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ବିବାହ ପରେ ନବ ଦମ୍ପତ୍ତି ଲିଳିମାଙ୍କ ପୈତୃକ ବାସ ଭବନ ଟାନାଟୋଲି ସ୍ଥିତ ବାସ ଭବନରେ ପହଞ୍ଚିବା ପରେ ସେଠାରେ ଭୋଜି ଭାତର ଆୟୋଜନ କରାଯାଇଛି ।