ଆଜି ହକି ବିଶ୍ୱକପ୍‌ ଉଦଘାଟନୀ ଉତ୍ସବ : ଦୁଲୁକିବ ବାରବାଟୀ ଷ୍ଟାଡିୟମ

କଟକ/ଭୁବନେଶ୍ୱର ୧୧।୦୨ : ଆଜି ଐତିହାସିକ ବାରବାଟୀ ଷ୍ଟାଡିୟମ ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ଅଧ୍ୟାୟ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପୁରୁଷ ହକି ବିଶ୍ବକପ୍ ଶୁଭାରମ୍ଭ ଉତ୍ସବ ଦେଖିବ ସାରା ବିଶ୍ବ। ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍ ଷ୍ଟାର୍ ଆଇକନ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟ୍ଟାନୀ । ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ମ୍ୟୁଜିକ୍ ରେ ଝୁମିବେ ଦର୍ଶକ ।

ପ୍ରଥମ ଥର କଟକରେ ଦେଖିବାକୁ ମିଳିବ ଅତ୍ୟାଧୁନିକ ଡ୍ରୋନ୍ ଶୋ। କଟକ ଆକାଶରେ ଏକକାଳୀନ ୫ଶହ ଡ୍ରୋନ୍ ଉଡ଼ିବା ସହ ଚିକମିକ୍ ଆଲୁଅରେ ହକି ବିଶ୍ବକପ୍ ସମ୍ବନ୍ଧୀୟ ଚିତ୍ର ପ୍ରଦର୍ଶନ କରାଯିବ। ବାରବାଟୀରେ ରାଜ୍ୟ କ୍ରୀଡ଼ା ବିଭାଗର ପ୍ରତ୍ୟକ୍ଷ ତତ୍ବାବଧାନରେ ଉଦଘାଟନୀ ଉତ୍ସବ ଲାଗି ଏକ ଅତ୍ୟାଧୁନିକ ମଞ୍ଚ ପ୍ରସ୍ତୁତ କରାଯାଇଛି। ଆଜି ଦିନ ୩ଟା ୩୦ରୁ ଆରମ୍ଭ ହେବ କାର୍ଯ୍ୟକ୍ରମ। ଉଦଘାଟନୀ ଉତ୍ସବ ପାଇଁ ପ୍ରାୟ ୩୦ହଜାର ଦର୍ଶକଙ୍କ ଲାଗି ବ୍ୟବସ୍ଥା କରାଯାଇଛି। ଟିକେଟ୍ ଓ ପାସ୍ ପାଇଥିବା ଦର୍ଶକମାନେ ଦିନ ୨ଟାରୁ ବାରବାଟୀ ଷ୍ଟାଡିୟମରେ ପ୍ରବେଶ କରିପାରିବେ।

ଦର୍ଶକମାନେ ଷ୍ଟାଡିୟମ ଭିତରକୁ କୌଣସି ଖାଦ୍ୟପଦାର୍ଥ, ପାଣି ବୋତଲ କିମ୍ବା ଖୁଚୁରା ପଇସା ନେଇପାରିବେ ନାହିଁ। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବାରବାଟୀ ଷ୍ଟାଡିୟମ। ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୫୦ ପ୍ଲାଟୁନ୍ ଫୋର୍ସ ଏବଂ ୨ଶହ ଅଫିସର। ସେହିପରି ହକି ବିଶ୍ବକପ୍ ର ଉଦଘାଟନୀ ଉତ୍ସବ ପାଇଁ ଆଜି ସମଗ୍ର ରାଜ୍ୟରେ ଦିନ ୧ଟାରୁ ସ୍କୁଲ ଛୁଟି। ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିବ। ପିଲାମାନେ ଉଦଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର ।

SBI AD