କାଠମାଣ୍ଡୁ: କ୍ଷିପ୍ର ବେଗରେ ଏଭରେଷ୍ଟ ଶୃଙ୍ଗ ଆରୋହଣ କରି ହଙ୍ଗ୍କଙ୍ଗ୍ ପର୍ବତାରୋହିଣୀ ସାଙ୍ଗ୍ ୟିନ୍-ହୁଙ୍ଗ୍ ବିଶ୍ବ ରେକର୍ଡ ଭାଙ୍ଗିଥିବା କଥା ଗୁରୁବାର ଦିନ ନେପାଳର ସରକାରୀ ଅଧିକାରୀମାନେ କହିଛନ୍ତି। ସାଙ୍ଗ୍ ୨୬ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏଭରେଷ୍ଟ୍ ଆରୋହଣ କରି ସେ ଏହି ରେକର୍ଡ ସୃଷ୍ଟି କରିଛନ୍ତି।ରବିବାର ଦିନ ୪୪ ବର୍ଷୀୟ ସାଙ୍ଗ୍ ରେକର୍ଡ ସମୟ ୨୫ ଘଣ୍ଟା ୫୦ ମିନିଟ୍ ଭିତରେ ୨୯,୦୩୧ ଫୁଟ୍ ଉଚ୍ଚତାବିଶିଷ୍ଟ ଉକ୍ତ ପର୍ବତ ଆରୋହଣ କରିପାରିଥିବା କଥା ‘ଏଭରେଷ୍ଟ୍’ ବେସ୍ କ୍ୟାମ୍ପ୍ର ସରକାରୀ ଅଧିକାରୀ ଜ୍ଞାନେନ୍ଦ୍ର ଶ୍ରେଷ୍ଠ କହିଛନ୍ତି। ଗଣମାଧ୍ୟମକୁ ଶ୍ରେଷ୍ଠ କହିଛନ୍ତି, ଶନିବାର ଅପରାହ୍ଣ ୧:୨୦ରେ ସେ ବେସ୍କ୍ୟାମ୍ପ୍ରୁ ବାହାରି ପରଦିନ ଅପରାହ୍ଣ ୩:୧୦ରେ ପର୍ବତ ଶିଖରରେ ପହଞ୍ଚିଥିଲେ। କିନ୍ତୁ, ଏହି କୃତ୍ବିତ୍ବ ନିମନ୍ତେ ସାର୍ଟିଫିକେଟ୍ ହାସଲ ପାଇଁ ‘ଗିନିଜ୍ ୱାର୍ଲଡ୍ ରେକର୍ଡସ୍’ର ଅଧିକାରୀଙ୍କ ପାଖରେ ସାଙ୍ଗ୍ଙ୍କୁ ତାଙ୍କର ଦାବି ଉପସ୍ଥାପନ କରିବାକୁ ପଡ଼ିବ।
ଆରୋହୀମାନେ ଶିଖରରେ ପହଞ୍ଚିଥିବା କଥା ନେପାଳ ସରକାର ସାର୍ଟିଫିକେଟ୍ ପ୍ରଦାନ କରୁଥିଲେ ବି ରେକର୍ଡ ନିମନ୍ତେ ଆବଶ୍ୟକ ସାର୍ଟିଫିକେଟ୍ ଦିଅନ୍ତି ନାହିଁ ଏହା ପୂର୍ବରୁ ନେପାଳୀ ମହିଳା ଫୁଞ୍ଜୋ ଝାଙ୍ଗ୍ମୁ ଲାମା ସବୁଠୁ କ୍ଷିପ୍ର ଏଭରେଷ୍ଟ୍ ଶୃଙ୍ଗ ଆରୋହିଣୀ ମର୍ଯ୍ୟାଦା ପାଇଥିଲେ। ସେ ମାତ୍ର ୩୯ ଘଣ୍ଟା ୬ ମିନିଟ୍ ମଧ୍ୟରେ ଶୃଙ୍ଗ ଶିଖରରେ ପହଞ୍ଚିଥିଲେ। ସୂଚନାଯୋଗ୍ୟ, ୨୦୧୭ରେ ସାଙ୍ଗ୍ ଏଭରେଷ୍ଟ୍ ଚୂଡ଼ାରେ ପହଞ୍ଚିଥିବା ପ୍ରଥମ ହଙ୍ଗ୍କଙ୍ଗ୍ ମହିଳା ଭାବେ ପରିଗଣିତ ହୋଇଥିଲେ। ରବିବାର ଦିନ ସେ ତୃତୀୟ ଥର ପାଇଁ ଏଭରେଷ୍ଟ ଚଢ଼ି ଏଭଳି ରେକର୍ଡର ଅଧିକାରିଣୀ ହୋଇପାରିଛନ୍ତି।