ସାରା ରାଜ୍ୟରେ ଭୀଷଣ ଗରମ, ୪ ଦିନ ଯାଏଁ ଛଟପଟ କରିବ

ଭୁବନେଶ୍ୱର,୨୦/୪: ସାରା ରାଜ୍ୟରେ ଭୀଷଣ ଗରମ । ଉପକୂଳରୁ ଆଭ୍ୟନ୍ତରୀଣ ପର୍ଯ୍ୟନ୍ତ ସବୁଠି ତାତି ଉପରମୁହାଁ । ଜନଜୀବନ ଅସ୍ତବ୍ୟସ୍ତ କଲାଣି । ପାଣିପାଗ ପୂର୍ବାନୁମାନ ହେଲା, ଆସନ୍ତା ୪-୫ ଦିନ ଏମିତି ଗ୍ରୀଷ୍ମ ପ୍ରକୋପ ରାଜ୍ୟରେ ଜାରି ରହିବ । ତାତି ପ୍ରକୋପରୁ ନିସ୍ତାରର ସମ୍ଭାବନା ମଧ୍ୟ କମ୍ । ଯେଉଁ ଅଞ୍ଚଳରେ କାଳବୈଶାଖୀ ହେବ, ସେଠାରେ ତାତି ସାମୟିକ କମିବ ।

ପାଣିପାଗ ବିଭାଗର କହିବାନୁସାରେ, ମଙ୍ଗଳବାର କୋରାପୁଟ, ମାଲକାନଗିରି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝରରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କେତେକ ସ୍ଥାନରେ ବଜ୍ରପାତ ଏବଂ ପବନ ଆଶଙ୍କା ରହିଛି । ୨୩ ତାରିଖ ଯାଏଁ କାଳବୈଶାଖୀ ଜାରି ରହିବ ବିଭିନ୍ନ ସ୍ଥାନରେ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଅଧିକ ରହିଥିବା ପାଣିପାଗ ବିଭାଗ କହିଛି ।