କେମିତି ଚାଲୁଛି ବିନା ଡ୍ରାଇଭରରେ ଦିଲ୍ଲୀମେଟ୍ରୋ ଟ୍ରେନ୍ ?

ନୂଆଦିଲ୍ଲୀ,୨୯ /୧୨: ଗତକାଲି ଦେଶରେ ପ୍ରଥମ ଚାଳକବିହୀନ ଟ୍ରେନର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କ ପାଇଁ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନଟି ମାତ୍ର ୩୭ କିଲୋମିଟର ଯାତ୍ରା କରିପାରିବ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି ଟ୍ରେନଟି ବିନା ଡ୍ରାଇଭରରେ ଚାଲିପାରୁଛି । ଯାହାକୁ ନେଇ ଲୋକଙ୍କ ମନରେ ନାନା ପ୍ରଶ୍ନ ସୃଷ୍ଟି ହୋଇଛି, କିପରି ଚାଲୁଛି ଚାଳକ ବିହୀନ ଟ୍ରେନ । ଏହା ବୁଢୀମାଆର ପରିରାଇଜର କାହାଣୀ ପରି ଲାଗୁଥିଲେ ହେଁ ଘଟଣାଟି ସତ୍ୟ । ଯେଭଳି ଭାବେ ରିମୋଟ୍ ଜରିଆରେ ଆମେ ଟେଲିଭିଜନ୍ ଖୋଲୁ,ବନ୍ଦକରୁ କିମ୍ବା ଚାନେଲ୍ ବଦଳାଉ ଠିକ ସେଭଳି ଆଜିର ବିଜ୍ଞାନୀ ମଣିଷ ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ନିୟନ୍ତ୍ରଣ କକ୍ଷରୁ ଉକ୍ତ ଟ୍ରେନକୁ ପରିଚାଳିତ କରୁଛି । ଆସନ୍ତୁ ସେ ସଂପର୍କରେ ଜାଣିବା…

ବିନା ଡ୍ରାଇଭରରେ ଟ୍ରେନ୍ ଡିଟିଓ ମୋଡରେ ଅପରେଟ କରାଯିବ । ଏହି ମୋଡରେ ଟ୍ରେନକୁ ଡିଏମଆରସିର ୩ଟି କମାଣ୍ଡ ସେଣ୍ଟରରୁ ନିୟନ୍ତ୍ରଣ କରାଯିବ । ସିଗନାଲ ଟେକ୍ନଲୋଜି ବ୍ୟବହାର କରି ଏହି ଟ୍ରେନଗୁଡିକ ଗନ୍ତବ୍ୟସ୍ଥଳରେ ପହଞ୍ଚିବ । ଏହାସହ କମାଣ୍ଡ ସେଣ୍ଟରରେ ଟ୍ରେନ ଉପରେ ଠିକ ସମୟରେ ନଜର ରଖାଯିବ । କଣ୍ଟ୍ରୋଲ ରୁମରେ ସିଷ୍ଟମ ମାଧ୍ୟମରେ ଏହାକୁ କଣ୍ଟ୍ରୋଲ କରାଯିବ । କେଉଁଠି ଟ୍ରେନରେ ଗତି ବଢାଯିବ, କେଉଁଠି ଟ୍ରେନର ଗତି କମ କରାଯିବ ତାହା କଣ୍ଟ୍ରୋଲ ରୁମରୁ ହିଁ ପରିଚାଳିତ ହେବ । ଯଦି ଟ୍ରେନରେ କୌଣସି ତ୍ରୁଟି ଦେଖାଯାଏ ତେବେ ସଙ୍ଗେ ସଙ୍ଗେ ସିଗନାଲ ମାଧ୍ୟମରେ ଏହାକୁ ସେହି ସ୍ଥାନରେ ରୋକାଯିବ ।

ଚାଲାକ ବିହୀନ ଟ୍ରେନ ବିଦେଶରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇସାରିଛି । ଏହି ଟ୍ରେନ ଏବେ ଦିଲ୍ଲୀରେ ଆରମ୍ଭ ହୋଇଛି । ପରବର୍ତ୍ତୀ ସମୟରେ ଦେଶରେ ୨୫ଟି ସ୍ଥାନରେ ଚାଲୁ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଟ୍ରେନ ମାଧ୍ୟମରେ ଦେଶ ମେଟ୍ରୋ ଟ୍ରେନ ସଫଳତାର ଆଉ ଏକ ପାଦ ଆଗକୁ ଯାଇଛି । ଏହି ଟ୍ରେନ ପ୍ରଥମ ପର୍ଯ୍ୟାୟରେ ଜନକପୁରୀର ପଶ୍ଚିମରୁ ନୋଏଡାର ବଟାନିକାଲ ଗାର୍ଡେନ ମେଟ୍ରୋ ଷ୍ଟେସନ ଯାଏଁ ଯାତ୍ରା କରିବ । ପାଖାପାଖି ୨ ହଜାର ୨ଶହ ଜଣ ଯାତ୍ରୀ ଏହି ଟ୍ରେନରେ ଯାତ୍ରା କରିପାରିବେ । ପତ୍ୟେକ କୋଚରେ ୩୮୦ ଜଣ ଯାତ୍ରା କରିପାରିବେ । ଏହି ଟ୍ରେନ ଘଂଟା ପ୍ରତି ୮୫ କିଲୋମିଟର ବେଗରେ ଗତି କରିବ । ସର୍ବାଧିକ ବେଗ ୯୫ କିଲୋମିଟର ପ୍ରତି ଘଂଟା ରହିବ। ଟ୍ରେନ ରହିବା, ଚାଲିବା ଏବଂ ଡ଼ୋର ବନ୍ଦ, ଖୋଲା ରିମୋଟ କଂଟ୍ରୋଲରେ ହେବ। ଟ୍ରେନ ଧାରଣାରେ କୌଣସି ଜିନିଷ ଥିଲେ ୫୦ ମିଟର ପୂର୍ବରୁ ଅଟକି ଯିବ। ଦିଲ୍ଲୀ ମେଟ୍ରୋ ଭବନରେ ଥିବା କେନ୍ଦ୍ରୀୟ କଂଟ୍ରୋଲ ରୁମରୁ ଏହି ଟ୍ରେନର ପରିଚାଳନା କରାଯିବ।