କଲମ୍ୱୋ,୧୫/୫: ଶ୍ରୀଲଙ୍କାରେ ଦିନକୁ ଦିନ ଅର୍ଥନୈତିକ ସଙ୍କଟ ଜଟିଳ ହେବାରେ ଲାଗିଛି । ଦେଶରେ ଜରୁରୀକାଳୀନ ପରିସ୍ଥିତିର ଘୋଷଣା ପରେ ମଧ୍ୟ ସ୍ଥିତିରେ ସୁଧାର ଦେଖାଯାଉ ନାହିଁ । ଚରମରେ ପହଞ୍ଚିଛି ମହଙ୍ଗା । ମୁଦ୍ରାର ମୂଲ୍ୟ ହ୍ରାସ ହେତୁ ଦୈନନ୍ଦିନ ଜୀବନ ପାଇଁ ଜରୁରୀ ଜନିଷର ଦାମ୍ ଆକାଶ ଛୁଆଁ ହୋଇଛି । ଯାହା ଫଳରେ ସାଧାରଣ ଲୋକଙ୍କ ଜୀବନ ଧାରଣ ମୁସ୍କିଲ୍ ହୋଇପଡ଼ିଛି । ଲୋକଙ୍କ ପାଖରେ ଟଙ୍କା ନାହିଁ । ଚାକିରି ନାହିଁ । ଦରଦାମ୍ ଆକାଶଛୁଆଁ । ଦିନକୁ ଦିନ ଜନିଷ ପତ୍ରର ମୃଲ୍ୟ ବୃଦ୍ଧି ହେବାରେ ଲାଗିଛି । ଖାଦ୍ୟ ସାମଗ୍ରୀ କିଣିବାକୁ ମଧ୍ୟ ଲୋକଙ୍କ ପାଖରେ ଅର୍ଥ ନାହିଁ । ପରିବା, ଫଳ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦାମ ଦୁଇ-ତିନି ଗୁଣାରୁ ଅଧିକ ହୋଇଛି ।
ସେଓ ପୂର୍ବରୁ ୩୫୦ ଟଙ୍କା ଥିବା ବେଳେ ଏବେ ୧୨ ଶହ ଟଙ୍କାରେ ପହଞ୍ଚିଛି । ଆମ୍ୱ ପୂର୍ବରୁ ୩୫୦ ଥିବା ବେଳେ ଏବେ ୭୦୦ ଟଙ୍କାରେ ପହଞ୍ଚିଛି । କମଳା ପୂର୍ବରୁ ୪୦୦ ଥିବା ବେଳେ ଏବେ ଏହା ୮୦୦ ଟଙ୍କା । ସେହିପରି ସପୁରୀ ରେଟ୍ ପୂର୍ବରୁ ୨୦୦ ଥିବା ବେଳେ ଏବେ ୪୦୦ରେ ବିକ୍ରି ହେଉଛି ଏବଂ ଅଙ୍ଗୁର ପୂର୍ବରୁ ୧୨୦୦ ଟଙ୍କା ଥିବା ବେଳେ ଏବେ ଏହା ୧୫ ଶହ ଟଙ୍କାରେ ପହଞ୍ଚିଛି ।
ଅନ୍ୟପଟେ ଆଳୁ ବର୍ତ୍ତମାନ ୩୪୦ ଥିବା ବେଳେ ପୂର୍ବରୁ ୨୫୦ ଥିଲା । ଟମାଟୋ – ବର୍ତ୍ତମାନ ୮୫୦ ଥିବା ବେଳେ ପୂର୍ବରୁ ୨୮୦, ଗାଜର – ବର୍ତ୍ତମାନ ୪୪୦ ପୂର୍ବରୁ ୨୨୦, କ୍ୟାପସିକମ୍ – ବର୍ତ୍ତମାନ ୮୫୦ ପୂର୍ବରୁ ୬୫୦, କୋବି – ବର୍ତ୍ତମାନ ୮୫୦ ପୂର୍ବରୁ ୬୫୦, ବାଇଗଣ – ବର୍ତ୍ତମାନ ୪୮୦ ପୂର୍ବରୁ ୧୮୦ ରହିଥିଲା ।