ଟିଟିଲାଗଡ଼ ଜନ୍ମମାଟିରେ ଆଜି ହ୍ୟୁମାନଙ୍କୁ ଦିଆଯିବ କବର

ଭୁବନେଶ୍ୱର, ୧୮/୧୧ : ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ହ୍ୟୁମାନଙ୍କର ଗତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ଖବର ଶୁଣିବା ପରେ କେବଳ କଳାକାର ନୁହେଁ, ବିଭିନ୍ନ ବୟସ ବର୍ଗର ଲୋକେ ପାର୍ଥିବ ଶରୀର ଦେଖିବାକୁ ଏମ୍‌ସରେ ଭିଡ଼ ଲଗାଇଥିଲେ । ପୂରା ଏମ୍‌ସ ପରିସର ସ୍ତମ୍ଭୀଭୂତ ହୋଇଯାଇଥିଲା। କାହା ମୁହଁରେ ଯେମିତି କିଛି କହିବାକୁ ଭାଷା ନଥିଲା । ରାତି ୯ଟା ୮ ମିନିଟରେ ପରଲୋକ ହେବା ପରେ ପ୍ରାୟ ସାଢେ ୧୧ଟା ବେଳକୁ ଏମ୍‌ସରୁ କଟକ ବାସଭବନ ଅଭିମୁଖେ ଯାଇଥିଲା ମୃତଦେହ । କଟକ ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ହ୍ୟୁମାନଙ୍କ ମୃତଦେହ ପହଞ୍ଚିବା ପରେ ତାଙ୍କ ସମର୍ଥକ, ଶୁଭେଚ୍ଛୁ ଏବଂ ଓଲିଉଡ୍ ଜଗତର ଜଣାଶୁଣା କଳାକାର, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ମାନେ ଶେଷ ଦର୍ଶନ କରିଥିଲେ । ହ୍ୟୁମାନଙ୍କ କୁନି ଝିଅ ମଧ୍ୟ ଶେଷ ଦର୍ଶନ କରିଛନ୍ତି । ଏହି ସମୟରେ ସେଠାରେ ଏକ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା । ପ୍ରଥମେ ପରିବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା କଯେ, ପାର୍ଥିବ ଶରୀରକୁ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କଟକରେ ରଖାଯିବ। କିନ୍ତୁ ବିଳମ୍ୱିତ ରାତି ୩ଟା ୨୦ ରେ ହ୍ୟୁମାନଙ୍କ ପାର୍ଥିବ ଶରୀରକୁ ଟିଟିଲାଗଡ଼ ସ୍ଥିତ ଦେବନ୍ତପଡା ବାସଭବନକୁ ନିଆଯାଇଛି । ସେଠାରେ ପହଞ୍ଚିବା ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।