ଭୁବନେଶ୍ୱର, ୧୩/୧୨ : ବଣାଇରେ ଗର୍ଭବତୀ ମହିଳାଙ୍କୁ ଗୁଳିକରି ହତ୍ୟା ଘଟଣାରେ ନୂଆ ମୋଡ ନେଇଛି । ଗର୍ଭବତୀଙ୍କୁ ଗୁଳି କରିବା ପଛରେ ସ୍ବାମୀ । ଘଟଣାରେ ସ୍ବାମୀ, ଜଣେ ପୋଲିସ କର୍ମଚାରୀଙ୍କ ସମେତ ୪ ଅଟକ । ସମସ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ । ଆଜି ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଘର ଭାତ ହାଣ୍ଡିରୁ ମିଳିଛି ପିସ୍ତଲ ସହ ୩ ଗୁଳି । ସ୍ୱାମୀ ଗୁଳି କରିବା ପରେ ହତ୍ୟାର ଡ୍ରାମା ରଚିଥିଲା । ପୋଲିସ ତଦନ୍ତରୁ ଏହା ଜଣା ପଡିବା ପରେ ସ୍ୱାମୀ ଗିରଫ ହୋଇଛି ।
ପୋଲିସକୁ ସ୍ୱାମୀ ଏହି ଗପ ଶୁଣାଇଥିଲା ଯେ ଆମ ଘରକୁ ବୁଧବାର ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ଆସି କବାଟ ବାଡେଇଥିଲେ । ଗର୍ଭବତୀ ମହିଳା ଜଣକ କବାଟ ଖୋଲିଲା ବେଳେ ବେକରୁ ସୁନା ଚେନ ଟାଣି ନେଇଥିଲେ। ମହିଳା ଜଣକ ଚିତ୍କାର କରିବାରୁ ଗୁଳି କରି ଚମ୍ପଟ ମାରିଥିଲେ ଦୁଇ ଦୁର୍ବୃତ୍ତ । ପରିବାର ଲୋକେ ତାଙ୍କୁ ତୁରନ୍ତ ବଣେଇ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।