IAS ସ୍ତରରେ ଅଦଳବଦଳ : କେନ୍ଦ୍ର ଡେପୁଟେସନରୁ ଫେରିଲେ ଉଷା ପାଢ଼ୀ

ଭୁବନେଶ୍ବର,୧୬/୧୨: ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ଡେପୁଟେସନରୁ ଫେରିଲା ପରେ ବରିଷ୍ଠ ଆଇଏଏସ୍‌ ଉଷା ପାଢ଼ୀଙ୍କୁ ନୂଆ ଦାୟିତ୍ବ ମିଳିଛି। ତାଙ୍କୁ ଦକ୍ଷତା ବିକାଶ ଓ ‌ବୈଷୟିକ ଶିକ୍ଷା ଭାବେ ନିଯୁକ୍ତି ମିଳିଛି। ଏଥି ସହିତ ଶ୍ରୀମତୀ ପାଢ଼ୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ସେହିପରି ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚଶିକ୍ଷା ବିଭାଗ ମିଳିଥିବା ବେଳେ ହେମନ୍ତ ଶର୍ମାଙ୍କୁ ଶିଳ୍ପ ବିଭାଗରେ ପ୍ରମୁଖ ସଚିବ ଭାବେ ମୁତୟନ କରାଯାଇଛି।

ସୂଚନାଯୋଗ୍ୟ, ଉଷା ପାଢ଼ୀ ୨୦୨୦ ଅଗଷ୍ଟ ମାସରେ କେନ୍ଦ୍ରକୁ ଡେପୁଟେସନରେ ଯାଇଥିଲେ। ଭାରତବର୍ଷର ସମସ୍ତ ବିମାନବନ୍ଦର ସୁରକ୍ଷା ଓ ପ୍ରୋଟୋକଲ୍‌ ଆଦିର ମୁଖ୍ୟ ଭାବେ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଅଫିସର ଶ୍ରୀମତୀ ପାଢ଼ୀଙ୍କୁ ଅବସ୍ଥାପିତ କରାଯାଇଥିଲା। ବେସାମରିକ ମନ୍ତ୍ରାଳୟର ଯୁଗ୍ମ ଶାସନ ସଚିବ ଉଷା ପାଢୀଙ୍କୁ କେନ୍ଦ୍ର ସରକାର ଅତିରିକ୍ତ ଭାବେ ବେସାମରିକ ସୁରକ୍ଷା ମହାନିର୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ। କେନ୍ଦ୍ର ଡେପୁଟେସନରେ ଥିଲା ବେଳେ ସେ ନିଜର ଦାୟିତ୍ବ ସୂଚାରୁ ରୂପେ ପରିଚାଳନା କରିଥିଲେ।