ଗାଜା ଟାୱାର ଉପରେ ଇସ୍ରାଏଲର ବିମାନ ଆକ୍ରମଣ, ଟଳିଗଲା ୧୨ ମହଲା ଭବନ

ତେଲଆଭିବ, ୧୫/୫: ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ଆଜି ଗାଜା ଉପରେ ଆକ୍ରଣ କରିଛି। ଆଇଡିଏଫ ଯୁଦ୍ଧବିମାନ ଏକ ୧୨ ମହଲା ଭବନ ଗାଜା ଟାୱାର ଉପରେ ବୋମାମାଡ଼ କରିବା ଯୋଗୁ ସମଗ୍ର ଭବନଟି ଧରାଶାୟୀ ହୋଇଛି। ଏହି ବିଲ୍ଡିଂରେ ଆମେରିକୀୟ ସମ୍ବାଦ ସରବରାହ ସଂସ୍ଥା ଏପିର କାର୍ଯ୍ୟାଳୟ ସମେତ କାତାର ଗଣମାଧ୍ୟମ ସଂସ୍ଥା ଅଲ ଜଜିରା ଓ ଅନ୍ୟ ଗଣମାଧ୍ୟମମାନଙ୍କର କାର୍ଯ୍ୟାଳୟ ଥିଲା।

ତେବେ ଏହି ଆକ୍ରମଣର ପ୍ରାୟ ଘଣ୍ଟାକ ପୂର୍ବରୁ ଆଇଡିଏଫ କୋଠା ଖାଲି କରିଦେବାକୁ ଘୋଷଣା କରିଥିଲା ବୋଲି କୁହାଯାଉଛି। ଏହି ଘୋଷଣାର ଠିକ୍ ଘଣ୍ଟାକ ପରେ ଇସ୍ରାଏଲ ଯୁଦ୍ଧବିମାନମାନେ କୋଠା ଉପରେ ଆକ୍ରମଣ କରିଥିଲେ। ଏଥିରେ ମିଡିଆ ଇସ୍ରାଏଲ ଉପରେ ଆକ୍ରମଣର ଅଭିଯୋଗ ଆଣିଥିବା ବେଳେ ଆଇଡିଏଫ ଏହାର ଜବାବ ରଖିଛି।

ଅନ୍ୟପକ୍ଷରେ ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ସଂଘର୍ଷରେ ଏପର୍ଯ୍ୟନ୍ତ ୧୨୬ ଜଣଙ୍କ ମୃତ୍ୟୁ ହୋଇଥିବା ପୁଷ୍ଟି ହୋଇଛି। ମୃତକଙ୍କ ମଧ୍ୟରେ ୩୧ ଜଣ ଶିଶୁ ଓ ବାଳକ ଥିବା ବେଳେ ଉଭୟ ପକ୍ଷର ୯୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୯ ଜଣ ଇସ୍ରାଏଲୀ ହୋଇଥିବା ବେଳେ ବାକି ପାଲେଷ୍ଟେନୀୟ ବୋଲି ଜଣାପଡିଛି।