ନୂଆଦିଲ୍ଲୀ : ଜୀବନରେ ନିଦର ମହତ୍ତ୍ୱ ରହିଛି । ରାତିରେ ୬ ରୁ ୭ ଘଣ୍ଟା ଭଲ ନିଦ ହେବା ନିହାତି ଆବଶ୍ୟକ । ନିଦ ନ ହେଲେ ଅନେକ ଅନିଦ୍ରା ବା ଇନସୋମେନିଆରେ ଆକ୍ରାନ୍ତ ହୋଇଥାନ୍ତି । କାମର ଚାପ ହେଉ କି ଆଜି କାଲିର ଜୀବନଚର୍ଯ୍ୟା ଯୋଗୁଁ ଅନେକଙ୍କୁ ଭଲ ନିଦ ହେଉ ନାହିଁ ।
ନିଶା ଏବଂ ଖାଦ୍ୟ ପେୟ ସହ ମୋବାଇଲ୍ ଏବଂ ଟିଭି ଯୋଗୁଁ ଲୋକଙ୍କୁ ଭଲ ନିଦ ହେଉନାହିଁ । ମାତ୍ର ଗୋଟିଏ ରାତି ନ ଶୋଇଲେ ଦୁଇ ତିନିଦିନ ପର୍ଯ୍ୟନ୍ତ ଥକା ଲାଗିଥାଏ । ଏବେ ଏକ ଗବେଷଣାରୁ ଜଣାପଡିଛି ଗୋଟିଏ ରାତି ନ ଶୋଇଲେ ମସ୍ତିଷ୍କ ୧ ବର୍ଷ ବୁଢା ହୋଇଯାଏ ଅର୍ଥାତ ନ ଶୋଇବା ଦ୍ୱାରା ମସ୍ତିଷ୍କର ବୟସ ୧ ବର୍ଷ ବଢିଯିବା ସହ ସମାନ । ମାତ୍ର ଏହା ପରେ ଯଦି ଜଣେ ଭଲ ନିଦକୁ ଅଭ୍ୟାସଗତ ଭାବେ ପୂରଣ କରିପାରେ ତେବେ ଏହି ସମସ୍ୟାରୁ ମୁକ୍ତି ମିଳିବ । ମସ୍ତିଷ୍କ ଏହାର ଭରଣା କରିଦେଇଥାଏ ବୋଲି ଜର୍ଣ୍ଣାଲ୍ ଅଫ୍ ନ୍ୟୁରୋ ସାଇନ୍ସରେ ଏକ ଗବେଷାତ୍ମକ ଲେଖା ପ୍ରକାଶିତ ହୋଇଛି ।
୧୩୪ ଜଣ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ଗବେଷଣା କରାଯାଇଥିଲା, ପରେ ୩୦୦୦ ଜଣଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ଗୋଟିଏ ରାତି ନଶୋଇବା ପରେ ସେମାନଙ୍କର ଏମ୍ଆର୍ଆଇ କରାଯାଇଥିଲା । ଏଥିରେ ମସ୍ତିଷ୍କରେ ଅନେକ ପରିବର୍ତ୍ତନ ହୋଇଥିବା କଥା ଜଣା ପଡିଛି । ୨୪ ଘଣ୍ଟା ଜମା ନଶୋଇଲେ ଏହାର ଅନେକ କୁପ୍ରଭାବ ପଡେ ବୋଲି ଏଥିରେ କୁହାଯାଇଛି ।
