ଆମେରିକାରେ ବରଫ ଝଡ଼ର ତାଣ୍ଡବ; ୧୦ ହଜାର ବିମାନ ବାତିଲ

ନୂଆଦିଲ୍ଲୀ, ୨୪/୦୨ : ଆମେରିକାର ଉତ୍ତର-ପୂର୍ବ ଭାଗରେ ସୋମବାର ଏକ ଶକ୍ତିଶାଳୀ ଶୀତକାଳୀନ ଝଡ଼ ତାଣ୍ଡବ ସୃଷ୍ଟି କରିଥିଲା । ପ୍ରବଳ ତୁଷାରପାତ ଏବଂ ପ୍ରବଳ ପବନ ଯୋଗୁଁ ରାସ୍ତାଗୁଡ଼ିକ ଖସଡ଼ା ହୋଇଯାଇଥିଲା । ସାଧାରଣ ପରିବହନ ସେବା ଠପ୍ ହୋଇପଡ଼ିଥିଲା । ଲକ୍ଷ ଲକ୍ଷ ଲୋକ ଘର ଭିତରେ ଫସି ରହିଥିଲେ । ସାଧାରଣତଃ ବ୍ୟସ୍ତବହୁଳ ରାସ୍ତାଗୁଡ଼ିକ ଶୂନଶାନ ଥିଲା, ବିମାନବନ୍ଦର ଖାଲି ରହିଥିଲା । ସ୍କୁଲଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଥିଲା । ବିମାନ ଯାତ୍ରା ଉପରେ ଝଡ଼ର ସବୁଠାରୁ ଅଧିକ ପ୍ରଭାବ ପଡ଼ିଥିଲା । ଫ୍ଲାଇଟ୍ ଟ୍ରାକିଂ ସେବା ‘ଫ୍ଲାଇଟ୍ଆୱେର’ ଅନୁଯାୟୀ, ଫେବୃଆରୀ ୨୧ରୁ ୨୪ ମଧ୍ୟରେ ୧୦,୦୦୦ରୁ ଅଧିକ ଫ୍ଲାଇଟ୍ ବାତିଲ କରାଯାଇଛି । କେବଳ ସୋମବାର ୫,୦୦୦ରୁ ଅଧିକ ଫ୍ଲାଇଟ୍ ବାତିଲ ହୋଇଛି । ଅନେକ ରାଜ୍ୟରେ ରେଳ ଏବଂ ବସ୍ ସେବା ବନ୍ଦ ରହିଛି । ନ୍ୟୁୟର୍କ ସହରରେ ପ୍ରଶାସନ ଲୋକମାନଙ୍କୁ ଅଯଥା ଯାତ୍ରା ଏଡ଼ାଇବାକୁ ପରାମର୍ଶ ଦେଇଛି । ନ୍ୟୁୟର୍କ, ନ୍ୟୁ ଜର୍ସି ଏବଂ ରୋଡ୍ ଆଇଲାଣ୍ଡର କିଛି ଅଂଶରେ ସମାନ ଆଦେଶ ଜାରି କରାଯାଇଛି ।

ନ୍ୟୁୟର୍କ ମେୟର ଜୋହରାନ ମାମଦାନି କହିଛନ୍ତି ଯେ ମୁଁ ପ୍ରତ୍ୟେକ ନ୍ୟୁୟର୍କବାସୀଙ୍କୁ ଘରେ ରହିବାକୁ ଅନୁରୋଧ କରୁଛି । ସେଣ୍ଟ୍ରାଲ ପାର୍କରେ ସୋମବାର ସକାଳ ସୁଦ୍ଧା ୧୫ ଇଞ୍ଚରୁ ଅଧିକ ତୁଷାରପାତ ରେକର୍ଡ କରାଯାଇଛି । ଲଙ୍ଗ୍ ଆଇଲାଣ୍ଡ ଏବଂ ନ୍ୟୁ ଜର୍ସିର ଅନେକ ଅଞ୍ଚଳରେ ପ୍ରାୟ ୨ ଫୁଟର ତୁଷାରପାତ ହୋଇଛି । ଫିଲାଡେଲଫିଆରେ ପ୍ରାୟ ୧ ଫୁଟର ତୁଷାରପାତ ହୋଇଥିବା ବେଳେ ବୋଷ୍ଟନରେ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ତୁଷାରପାତ ଜାରି ରହିଥିଲା । ସେପଟେ ଏହି ଝଡ଼ ଯୋଗୁ ପୂର୍ବ ଉପକୂଳରେ ୫.୭ ଲକ୍ଷରୁ ଅଧିକ ଘର ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ବିଦ୍ୟୁତ୍ ବିଚ୍ଛିନ୍ନ ହୋଇଯାଇଥିଲା । ମେସାଚୁସେଟ୍ସ ଏବଂ ନ୍ୟୁ ଜର୍ସି ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ।