ଭୁବନେଶ୍ୱର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ: ଘୋଷଣା କଲା CMC

କଟକ: ରାଜ୍ୟରେ କରୋନା ଭାଇରସ୍ ପୁଣି ଥରେ ବଢ଼ିବାରେ ଲାଗିଛି । ରାଜ୍ୟରେ ଆଜି ବି କରୋନା ସଂକ୍ରମଣ ୨ ଶହ ଟପିଥିବା ବେଳେ ପୁଣି ଫେରିଛି ମାସ୍କ କଟକଣା । ଭୁବନେଶ୍ୱର ପରେ ଏବେ କଟକରେ ଲାଗୁ ହେଲା ମାସ୍କ କଟକଣା । ଏଣିକି ସିଲଭର ସିଟି କଟକରେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ବାହାରକୁ ବାହାରିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ଘୋଷଣା କରିଛି କଟକ ମହାନଗର ନିଗମ ।

ଏବେ କଟକ ମହାନଗର ନିଗମ ଅଞ୍ଚଳରେ ଆସୁଥିବା ସମସ୍ତ ସ୍ଥାନରେ ମାସ୍କ ପିନ୍ଧିବା ନେଇ କଟକଣା ଜାରି କରିଛି ପ୍ରଶାସନ । କଟକରେ ରହୁତିବା ଲୋକ ଏବଂ ବାହାରୁ କଟକକୁ ଯାଉଥିବା ଲୋକଙ୍କ ପାଇଁ ମଧ୍ୟ ମାସ୍କ ବାଧ୍ୟତାମୂଳକ ହୋଇଛି । ଏଥି ସହ ବାହାରକୁ ଗଲେ କିମ୍ବା ସର୍ବ ସାଧାରଣ ସ୍ଥାନରେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ । ଏହାବ୍ୟତୀତ ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛି ସିଏମସି । ତେବେ ସପିଙ୍ଗ ମଲ ଏବଂ ଦୋକାନରେ ସାମାଜିକ ଦୂରତାକୁ ଅବମାନନା କଲେ ମାଲିକ ଦାୟୀ ରହବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୧୩୫ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୯୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୩୦ ଆକ୍ରାନ୍ତ ଥିବା ଜଣାପଡିଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୫, ଷ୍ଟେଟପୁଲରୁ ୨୫, ବାଲେଶ୍ୱରରୁ ୧୩, ସୁନ୍ଦରଗଡ଼ରୁ ୧୨, ସମ୍ବଲପୁରରୁ ୧୦, ନୂଆପଡ଼ାରୁ ୮, ସୋନପୁରରୁ ୬, ଭଦ୍ରକ ଓ ପୁରୀରୁ ୫ ଜଣ ଲେଖାଏଁ, ଦେଓଗଡ଼ରୁ ୩, ଜଗତସିଂହପୁର ଓ ଯାଜପୁରରୁ ୨ ଜଣ ଲେଖାଏଁ, ବଲାଙ୍ଗିର, ଝାରସୁଗୁଡ଼ା, କଳାହାଣଣ୍ଡି, ମାଲକାନଗିରି, ମୟୂରଭଞ୍ଜ ଓ ରାୟଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୦,୧୯୨କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୧୦୩୫ ଥିବା ବେଳେ ୧୨,୭୯,୯୭୮ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।