ଭୋପାଳ : ଭୋପାଳ ଏକ ଘରୋଇ କଲେଜ୍ର ମହିଳା ପ୍ରିନ୍ସିପାଲଙ୍କୁ ପୂର୍ବତନ ଛାତ୍ର ପଟ୍ରୋଲ ଢାଳି ନିଆଁ ଲଗାଇଦେବା ପରି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏମିତି ବିଭର୍ତ୍ସକର ଘଟଣା ମଧ୍ୟ ପ୍ରଦେଶର ଇନ୍ଦୋରରେ ଦେଖିବାକୁ ମିଳିଛି। ଗୁରୁତର ଅବସ୍ଥାରେ ମହିଳା ପ୍ରିନ୍ସିପାଲଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସୂଚନା ମିଳିବାମାତ୍ରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମାମଲାର ଖୋଳତାଡ କରି ଅଭିଯୁକ୍ତକୁ ଗିରଫ କରିଛି।
କୁହାଯାଉଛି ବିବାଦୀୟ ମାର୍କସିଟ୍କୁ ନେଇ ଅଭିଯୁକ୍ତ ଚାରି ମାସ ପୂର୍ବେ ଅନ୍ୟ ଏକ ପ୍ରଫେସରଙ୍କ ଉପରେ ଛୁରିରେ ଆକ୍ରମଣ କରିଥିଲା। ସେହି ସମୟରେ ପୋଲିସ୍ ଗିରଫ କରିଥିଲେ ହେଁ ଅଭିଯୁକ୍ତ ମୁକୁଳି ଯାଇଥିଲା। ପୋଲିସ୍ ମହାନୀରିକ୍ଷକ ରାଜେଶ ଗୁପ୍ତା କହିଛନ୍ତି, ସିମରୋଲ ଅଞ୍ଚଳରେ ଏକ ଘରୋଇ ବିଏମ କଲେଜ୍ ଅଫ ଫାର୍ମାସୀର ପ୍ରିନ୍ସିପାଲ୍ ବିମୁକ୍ତା ଶର୍ମା(୫୪)ଙ୍କୁ ତାଙ୍କ କଲେଜର ଜଣେ ପୂର୍ବତନ ଛାତ୍ର ଆଶୁତୋଷ ଶ୍ରୀବାସ୍ତବ(୨୪) ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି। ପ୍ରିନ୍ସିପାଲଙ୍କ ୮୦ ପ୍ରତିଶତ ଶରୀରର ଜଳି ଯାଇଛି ଏବଂ ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି। ଘଟଣା ସମୟରେ ସେ କଲେଜ୍ ପରିସରରେ ଏକ ବେଲ ଗଛରୁ ପତ୍ର ତୋଳୁଥିଲେ।