କଟକ,୨୩ /୧: ଆଜି ଭାରତୀୟ ମୁକ୍ତି ସଂଗ୍ରାମର ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ପବିତ୍ର ୧୨୫ତମ ଜନ୍ମ ଦିବସ । ଆଜିଠାରୁ ସାରା ଦେଶରେ ନେତାଜୀଙ୍କର ୧୨୫ତମ ଜନ୍ମବାର୍ଷିକୀ ପାଳନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କର ଜନ୍ମସ୍ଥାନ ଜାନକୀନାଥ ଭବନକୁ ଯାଇ ରାଜ୍ୟବାସୀଙ୍କ ତରଫରୁ ଶ୍ରଦ୍ଧାସୁମନ ଅର୍ପଣ କରି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ କଟକ ଖାନନଗର ଠାରେ ନେତାଜୀଙ୍କ ନାମରେ ନାମିତ ନେତାଜୀ ବସ ଟର୍ମିନାଲର ଶିଳାନ୍ୟାସ କରିଛନ୍ତି ।
ଏହି ବସ୍ ଟର୍ମିନାଲକୁ ଅନ୍ତର୍ଜାତୀୟସ୍ତରୀୟ କରାଯିବ। ୧୧ହଜାର ବର୍ଗମିଟରରେ ନିର୍ମିତ ହେବ ଏହି ବସ୍ ଟର୍ମିନାଲ। ବସ ଟର୍ମିନାଲଟିରେ ୧୮୦ ବସ୍ ଓ ୨୭୫ କାର୍ ରହି ପାରିବ। ଏଥିପାଇଁ ୬୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ଯେତେବେଳେ ବି ନେତାଜୀଙ୍କ ଜନ୍ମସ୍ଥାନକୁ ଯାଇଛନ୍ତି, ସେତେବେଳେ ସେ ଭାବୁକ ହୋଇଯାନ୍ତି । ଦେଶ ପାଇଁ ଓ ଜାତି ପାଇଁ ନେତାଜୀଙ୍କ ଅସୀମ ତ୍ୟାଗକୁ କେହି କେବେ ଭୁଲିପାରିବ ନାହିଁ। ଭାରତର ସ୍ବାଧୀନତା ସଂଗ୍ରାମକୁ ଶକ୍ତିଶାଳୀ କରିବାରେ ତାଙ୍କର ଭୂମିକା ଥିଲା ଅତୁଳନୀୟ । ନେତାଜୀଙ୍କ ଦେଶଭକ୍ତି ଓ ସାହସ ଭାରତ ଇତିହାସରେ ଏକ ଗୌରବମୟ ଗାଥା ହୋଇ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।