ଭୁବନେଶ୍ୱର,୯/୬ : ଅସରାଏ ବର୍ଷାରେ ଉବୁଟୁବୁ ହେଉଛି ସ୍ମାର୍ଟସିଟି। ଭାସୁଛି ଯାନ, ଜଳବନ୍ଦୀରେ ରହୁଛନ୍ତି ଜନ। ୨୦୧୯ରେ ଜଳବନ୍ଦୀ ସମସ୍ୟା ଦୂର ପାଇଁ ମୁଖ୍ୟମନ୍ତ୍ରୀ ୧୦୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଥିଲେ। ମାଷ୍ଟରପ୍ଲାନ୍ ପ୍ରସ୍ତୁତି କରି ଜଳବନ୍ଦୀ ସ୍ଥିତି ସୁଧାରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦେଶ ଦେଇଥିଲେ। ପ୍ଲାନ୍ ପ୍ରସ୍ତୁତି ସରିଲା, ଟଙ୍କା ମଧ୍ୟ ମଞ୍ଜୁର ହେଲା। ଗୃହ ଓ ନଗର ଉନ୍ନୟନ ବିଭାଗ ବିଏମ୍ସିକୁ କାମ କରିବାକୁ ସବୁଜ ସଙ୍କେତ ଦେଲା। ୧୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜଳବନ୍ଦୀ ସମସ୍ୟା ପାଇଁ ବିଏମ୍ସିକୁ ମିଳିଲା, କିନ୍ତୁ କାମ ଯଥା ସମୟରେ ଆରମ୍ଭ ହେଲାନି। ମୌସୁମୀ ଓଡ଼ିଶା ମୁହାଁ ହେଲାଣି। ବର୍ଷାରେ ପୁଣି ରାଜଧାନୀ ଡୁବିଲେ ବିଏମ୍ସି ଘେରିବେ ବୋଲି ଚେତାବନୀ ଦେଇଛନ୍ତି ବାସିନ୍ଦା ଓ ବିଭିନ୍ନ ସଂଗଠନ।
ମୌସୁମୀ ମୁଣ୍ଡ ଉପରେ ଥିବାବେଳେ ପ୍ରମୁଖ ନାଳ ସଫା ନହେବା, ଡ୍ରେନ୍ ନିର୍ମାଣ ଏବଂ ମରାମତି କାମ ନସରିବା ଏବଂ ପଙ୍କ ଉଦ୍ଧାର ଶେଷ ନ ହେବା ବିଏମ୍ସି ଜଳ ନିଷ୍କାସନ ବିଭାଗର ପାରିଲାପଣିଆକୁ ପଦାରେ ପକାଇ ଦେଇଛି। ନୂଆପଲ୍ଲୀ ବେହେରାସାହି, ଭୋଇସାହି, ଖଣ୍ଡଗିରି ବାରି, ମେ’ ଫେୟାର ନିକଟସ୍ଥ ଅଞ୍ଚଳ, ଲକ୍ଷ୍ମୀ ସାଗର ଚମ୍ପାପୋଖରୀ ଅଞ୍ଚଳ, ଝାରପଡ଼ା ଶାନ୍ତିନଗର, ମଲ୍ଲିକ କଂପ୍ଲେକ୍ସ, ଗୌରୀ ଗାର୍ଡେନ, ପାଇକ ନଗର ଆଦି ୩୭ଟି ଅଞ୍ଚଳକୁ ଜଳବନ୍ଦୀ ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ କରାଯାଇଛି।