ବଢୁଛି ଶୀତର ପ୍ରକୋପ, ୨୪ ଘଣ୍ଟାରେ ୫ ଡିଗ୍ରୀ ଖସିଲା ପାରଦ

ଭୁବନେଶ୍ୱର,୨୦/୧୨ : ରାଜ୍ୟରେ ବଢୁଛି ଶୀତର ପ୍ରକୋପ । ପ୍ରବଳ ଜାଡରେ ଥରୁଛି ସାରା ଓଡିଶା । ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ରାତି ତାପମାତ୍ରା କ୍ରମାଗତ ଭାବରେ କମିବାରେ ଲାଗିଛି। ୨୪ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପାରଦ ୫ ଡିଗ୍ରି ପର୍ଯ୍ୟନ୍ତ ଖସିଛି। ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରୀ କମି ୮.୨ ଡିଗ୍ରୀ ସେଲସିୟସରେ ପହଞ୍ଚିଥିବା ରେକର୍ଡ କରାଯାଇଛି। ଏତତ୍ ବ୍ୟତୀତ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀ ସେଲସିୟସରେ ପହଞ୍ଚିଛି ।

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ, ରାଜ୍ୟରେ ଶୀତ ପ୍ରକୋପ ଆହୁରି ବଢ଼ିବ । ଶନିବାର ଓ ରବିବାର ଭୀଷଣ ଥଣ୍ଡା ଅନୁଭୂତ ହେବ । ଆସନ୍ତା ୨୪ ଘଣ୍ଟାରେ ପାରଦ ଆହୁରି ୧-୨ରୁ ଡିଗ୍ରୀ କମିପାରେ । ତା’ପରେ ଉପକୂଳ ଓଡ଼ିଶାରେ ବିଶେଷ ପରିବର୍ତ୍ତନ ହେବନି । ଆସନ୍ତା ୩ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ କମ୍‌ ରହିପାରେ ।

ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ, ଉତ୍ତର ଦିଗରୁ ଥଣ୍ଡା ପବନ ସିଧା ରାଜ୍ୟ ଭିତରକୁ ପ୍ରବେଶ କରୁଛି । ଏହି ପବନ ଶକ୍ତିଶାଳୀ ଥିବାରୁ ପାରଦ ପୂର୍ବାନୁମାନଠାରୁ ମଧ୍ୟ ଅଧିକ ହ୍ରାସ ପାଇପାରେ । ଯଦି ପାରଦ ଆଉ ୩ ଡିଗ୍ରୀ କମିବ, ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ଶୀତ ବଢିବ ।

ଶୁକ୍ରବାର ରାତିରେ ଅନୁଗୋଳର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି । ପୂର୍ବ ରାତିଠାରୁ ଅନୁଗୋଳ ତାପମାତ୍ରା ୪ ଡିଗ୍ରୀ ଅଧିକ ରହିଥିଲା । କେନ୍ଦୁଝରରେ ପାରଦ ୧୧.୭ ଡିଗ୍ରୀରେ ପହଞ୍ଚିଥିଲା । ବାରିପଦାରେ ଶୁକ୍ରବାର ରାତିରେ ତାପମାତ୍ରା ୪.୭ ଡିଗ୍ରୀ କମି ୧୦.୫ ଡିଗ୍ରୀ ରେକର୍ଡ ହୋଇଛି । ଅନ୍ୟ ସହର ଭିତରେ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀକୁ ଖସି ଆସିଥିଲା । ଶୁକ୍ରବାର ରାତିରେ କୋରାପୁଟର ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଥିବାବେଳେ ବୌଦ୍ଧ ୧୨.୫, ସୁନ୍ଦରଗଡ଼ ୧୨, ବଲାଙ୍ଗିର ୧୨.୪, ସୋନପୁର ୧୩, ସମ୍ବଲପୁର ୧୩ ଡିଗ୍ରୀ ଥିଲା । ଉପକୂଳ ଓଡ଼ିଶାର ବାଲେଶ୍ୱରରେ ପାରଦ ସ୍ୱାଭାବିକଠାରୁ ୧ ଡିଗ୍ରୀ ଖସି ୧୩.୪ ଡିଗ୍ରୀ ଥିବାବେଳେ ଚାନ୍ଦବାଲି ୧୪.୪, କଟକ ୧୩.୮, ଭୁବନେଶ୍ୱର ୧୬.୫ ଡିଗ୍ରୀ ରହିଥିଲା ।