ଆଜି ଶେଷ ଦିନିକିଆ, ସମ୍ମାନ ପାଇଁ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ

କାନବେରା, ୨/୧୨ : ଲଗାତାର ଦୁଇଟି ମ୍ୟାଚରେ ପରାଜୟ ବରଣ କରିଥିବା ଭାରତୀୟ ଦଳ ଆଜି କାନବେରାରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍‌ ଖେଳିବ। ଭାରତ ପାଇଁ ଏହି ମ୍ୟାଚ୍‌ ସମ୍ମାନର ପ୍ରଶ୍ନ ନେଇ ଆସିଛି। ଏହି ମ୍ୟାଚ୍‌ ଜିତି ସମ୍ମାନ ରକ୍ଷା କରିବା ଉଦ୍ଦେଶ୍ୟରେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ। ଏହାସହ ବିଜୟଧାରାକୁ ଫେରିବା ସହ ଟ୍ବେଣ୍ଟି୨୦ ସିରିଜ୍ ପୂର୍ବରୁ ଆତ୍ମବିଶ୍ବାସ ଫେରି ପାଇବାର ପ୍ରୟାସ ଟିମ୍ ଇଣ୍ଡିଆ କରିବ। ଅନ୍ୟପକ୍ଷରେ ସିରିଜ୍ ପୋଛିନେବା ସହ ଭାରତ ଉପରେ ପ୍ରାଧାନ୍ୟ ବଜାୟ ରଖିବାକୁ ଅଷ୍ଟ୍ରେଲିଆ ଚାହିଁବ।

୨ଟି ଦିନିକିଆରେ ଅଷ୍ଟ୍ରେଲିଆ ୩୭୪ ଓ ୩୮୯ ରନ୍‌କରି ଭାରତୀୟ ବୋଲିଂର ଦୁର୍ବଳତାକୁ ପଦାରେ ପକାଇ ପାରିଛି। ଏହି ୨ଟି ଦିନିକିଆରେ ଅଷ୍ଟ୍ରେଲିଆ ପକ୍ଷରୁ ୩ଟି ଶତକ ଦେଖିବାକୁ ମିଳିଛି। ଉଭୟ ମ୍ୟାଚ୍‌ରେ ୬୨ ବଲ୍‌ରୁ ଶତକ ଅର୍ଜନକରି ଷ୍ଟିଭେନ୍ ସ୍ମିଥ୍ ତାଙ୍କ ଚମତ୍କାର ଫର୍ମର ପ୍ରମାଣ ଦେଇ ସାରିଛନ୍ତି। ତେବେ ଡେଭିଡ୍‌ ୱାର୍ଣ୍ଣର ଓ ପ୍ୟାଟ୍‌ କମିନ୍‌ସଙ୍କ ଅନୁପସ୍ଥିତି ଅଷ୍ଟ୍ରେଲିଆକୁ ସାମାନ୍ୟ ଦୁର୍ବଳ କରିଦେଇଛି। ଏହାର ଫାଇଦା ନେବାକୁ ବିରାଟସେନା ପ୍ରୟାସ କରିବ। ୱାର୍ଣ୍ଣର ଉଭୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ମାରିଥିବା ବେଳେ କମିନ୍‌ସ ଦଳର ଶ୍ରେଷ୍ଠ ବୋଲରର ମାନ୍ୟତା ପାଇଛନ୍ତି। କମିନ୍‌ସଙ୍କ ସ୍ଥାନରେ ସନ୍‌ ଆବଟ୍‌ ଖେଳିବା ନିଶ୍ଚିତ। ତେବେ ୱାର୍ଣ୍ଣରଙ୍କ ସ୍ଥାନରେ ମାଥ୍ୟୁ ୱେଡ୍‌ କିମ୍ବା ଡି’ଆର୍ସି ସର୍ଟ ଓପନ୍‌ କରିପାରନ୍ତି। ମୋଇଜେସ୍ ହେନ୍‌ରିକ୍‌ସ ଆଉ ଏକ ସୁଯୋଗ ପାଇବେ। ଭାରତ ଓପ୍‌ନର ଭାବେ ଶିଖର ଧାୱନ୍‌ଙ୍କ ସ୍ଥାନରେ ଶୁବ୍‌ମାନ ଗିଲ୍‌ଙ୍କୁ ଖେଳାଇବା କଥା ଚିନ୍ତା କରିପାରେ। ପୁଣି ଶ୍ରେୟାସ ଆୟରଙ୍କ ସ୍ଥାନ ମନୀଷ ପା​‌େ​‌ଣ୍ଡ ନେଇପାରନ୍ତି। ବୋଲିଂ ବିଭାଗରେ ନବଦୀପ ସୈନିଙ୍କ ସ୍ଥାନରେ ସାର୍ଦ୍ଦୁଳ ଠାକୁର ଖେଳିପାରନ୍ତି। ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରାଙ୍କ ମଧ୍ୟରୁ ଜଣେ ବିଶ୍ରାମ ନେବା ନିଶ୍ଚିତ। ଭାରତ ସିରିଜ୍ ହାରି ସାରିଥିବାରୁ ଉଭୟଙ୍କୁ ବିଶ୍ରାମଦେଇ ଟି. ନଟରାଜନଙ୍କୁ ଖେଳାଇବା କଥା ଚିନ୍ତା କରିପାରେ। ଉଭୟ ମ୍ୟାଚ୍‌ରେ ବିଫଳ ହୋଇଥିବା ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବ ଖେଳିବାର ସମ୍ଭାବନା ରହିଛି। ମାନୁକା ଓଭାଲ୍‌ରେ ଅତ୍ୟଧିକ ରନ୍‌ହେବାର ନଜିର ରହିଛି। ପୁଣି ଏଠାରେ ଗତ ୭ଟି ଦିନିକିଆ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୬ଟି ଜିତିଛି। ଏଠାରେ ଓଭର୍ ପିଛା ହାରହାରି ରନ୍‌ହାର ୬.୩୬। ତେଣୁ ଭାରତୀୟ ବୋଲରଙ୍କ ପାଇଁ ପୁଣି ଏକ ଅଗ୍ନିପରୀକ୍ଷା ଅପେକ୍ଷା କରିଛି। ୨୦୧୬ ପରଠାରୁ ପ୍ରଥମଥର ଭାରତୀୟ ଦଳ କ୍ରମାଗତ ୫ଟି ଦିନିକିଆ ମ୍ୟାଚ୍ ହାରିଛି। ଏହି ଧାରା ଭାଙ୍ଗିବାକୁ ଟିମ୍ ଇଣ୍ଡିଆ ପ୍ରୟାସ କରିବ। ସୂଚନାଯୋଗ୍ୟ; ୨୦୧୬ରେ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ଅନ୍ତିମ ଦିନିକିଆ ଜିତି ଭାରତ ଏହି ଧାରା ଭାଙ୍ଗିଥିଲା। ମ୍ୟାଚ୍ ଜିତିବାକୁ ହେଲେ ଭାରତୀୟ ଉପର ଅର୍ଡର ବ୍ୟାଟ୍‌ସମ୍ୟାନଙ୍କୁ ରନ୍‌ ସ୍କୋର୍ କରିବାକୁ ପଡ଼ିବ। ଦିନିକିଆ‌େ‌ର ୧୨୦୦୦ ରନ୍ ପୂରଣ କରିବା ପାଇଁ କୋହଲି ଆଉ ୨୩ ରନ୍ ଆବଶ୍ୟକ କରୁଛନ୍ତି। ୧୫୦ ଦିନିକିଆ ୱିକେଟ ହାସଲ କରିବା ପାଇଁ ମହମ୍ମଦ ସାମି ୨ଟି ୱିକେଟ ଆବଶ୍ୟକ କରୁଛନ୍ତି।