ମେକ୍ସିକୋ : ପ୍ରତ୍ୟପର୍ଣ ହେବା ଆଶଙ୍କା କରି ଉତ୍ତରାଞ୍ଚଳ ମେକ୍ସିକୋସ୍ଥିତ ‘ପ୍ରବାସୀ ଅଟକ କେନ୍ଦ୍ର’ରେ ଅଟକ ଥିବା ପ୍ରବାସୀମାନେ ଗଦିରେ ନିଆଁ ଲଗାଇ ଦେବାରୁ ସେଠାରେ ଅଗ୍ନିକାଣ୍ଡ ଘଟି ୪୦ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ୍ ଓବ୍ରାଡର୍ କହିଛନ୍ତି। ଅଟକ ଥିବା ପ୍ରବାସୀମାନେ ପ୍ରତ୍ୟର୍ପଣ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବା ବେଳେ ଅଟକ କେନ୍ଦ୍ରରେ ଥିବା ବାଡ଼ାରେ ଗଦିକୁ ନିଆଁ ଲଗାଇ ଦେଇଥିଲେ।
କୋଠରି ଧୂଆଁରେ ପୂର୍ଣ୍ଣ ହୋଇଯିବା ପୂର୍ବରୁ ସେଠାରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀମାନେ ଅନ୍ତେଃବାସୀମାନଙ୍କୁ ଉଦ୍ଧାର କରିବାକୁ କୌଣସି ଉଦ୍ୟମ କରି ନ ଥିଲେ ବୋଲି ‘ସିସିଟିଭି’ ଫୁଟେଜ୍ରୁ ଜଣାପଡ଼ିଛି।
ମେକ୍ସିକୋର ‘ନ୍ୟାସ୍ନାଲ୍ ଇମିଗ୍ରେସନ୍ ଇନ୍ଷ୍ଟିଚ୍ୟୁଟ୍’ କହିଛି ଯେ, କେନ୍ଦ୍ରୀୟ ଓ ଦକ୍ଷିଣ ଆମେରିକାର ୪୦ଜଣ ପୁରୁଷ ପ୍ରବାସୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨୮ଜଣ ଆହତଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଆଁ କେମିତି ଲିଭାଗଲା, ବାହାରି ଯିବା ପାଇଁ ସେଠାରେ ଜରୁରୀକାଳୀନ ପ୍ରସ୍ଥାନ ପଥ ଥିଲା କି, ନାହିଁ କିଂବା ପୁଲିସ କିଭଳି ପ୍ରତିବାଦର ମୁକାବିଲା କଲା ସେ ସମ୍ପର୍କରେ କୌଣସି ସ୍ପଷ୍ଟ ତଥ୍ୟ ମିଳିନାହିଁ।
