୭ ମାସ ପରେ ସର୍ବାଧିକ : ଆଜି ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୭,୮୦୦ ଉପରେ

ନୂଆଦିଲ୍ଲୀ ୧୨/୦୪ : ଦୀର୍ଘ ୭ ମାସ ପରେ ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୭,୮୦୦ ଅତିକ୍ରମ କରିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୦୦୦ ଉପରେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।

ଗତ ୨୪ ‌ଘଣ୍ଟାରେ ୧୬ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୦୧୬କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ଦିଲ୍ଲୀ, ପଞ୍ଜାବ ଓ ହିମାଚଳ ପ୍ରଦେଶରୁ ୨ଟି ଲେଖାଏଁ, ଗୁଜରାଟ, ହରିୟାଣା, ମହାରାଷ୍ଟ୍ର, ତାମିଲନାଡୁ ଓ ଉତ୍ତର ପ୍ରଦେଶରୁ ଗୋଟିଏ ଲେଖାଏଁ ମୃତ୍ୟୁ ରେକର୍ଡ କରାଯାଇଥିବା ବେଳେ ପିଛିଲା ଭାବେ କେରଳ ୫ଟି ମୃତ୍ୟୁ ସାମିଲ କରିଛି।

ଦେଶରେ ଦୈନିକ କୋଭିଡ୍‌-୧୯ ‘ପଜିଟିଭିଟି’ ହାର ୬.୯୧% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୩.୬୭% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୨,୦୪,୭୭୧। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୨% ରହିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଦେଶରେ ଦୈନିକ ପଜିଟିଭିଟି ହାର ୩.୬୫% ଥିବାବେଳେ ସାପ୍ତାହିକ ପଜିଟିଭିଟି ହାର ୩.୮୩% ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୨୦,୬୬,୨୪,୩୨୬ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଗତକାଲି ପରୀକ୍ଷା କରାଯାଇଛି ୨,୧୪,୨୪୨ଟି ନମୁନା।

SBI AD