ନାଗପୁର,୧୨ /୨: ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ହେଲିକପ୍ଟରରେ ପହଁଚିଲେ ପ୍ରାର୍ଥୀ । ଆଜି ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାର ସଙ୍ଗମେନର ଅଂଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଶପଥ ନେବାକୁ ନୂଆ ସରପଞ୍ଚ ସିଧାସଳଖ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ। ମିଳିଥିବା ସୂଚନା ମୁତାବକ ଆଜି ନବ ନିର୍ବାଚିତ ସରପଞ୍ଚଙ୍କୁ ସ୍ୱାଗତ କରିବାକୁ ଗ୍ରାମବାସୀ ସ୍ୱତନ୍ତ୍ର ଆୟୋଜନ କରିଥିଲେ ।
ଶପଥ ଗ୍ରହଣ ସମାରୋହ ସଙ୍ଗମେନର ଅଂଚଳର ଅମ୍ବି ଦୁମାଲା ଗାଁରେ ଅନୁଷ୍ଠିତ ହୋଇଥିଲା । ଏହି ଗାଁର ଯୁବ ଉଦ୍ୟୋଗୀ ଜଲିନ୍ଦର ଗଗାରେ ପୁନେରେ ରୁହନ୍ତି । ଏକାଧିକ କମ୍ପାନୀ ପ୍ରତିଷ୍ଠା କରିଥିବା ଜଲିନ୍ଦର ବହୁ ସଂଖ୍ୟାରେ ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦିଅନ୍ତି । ବ୍ୟବସାୟ ପାଇଁ ପୁନେରେ ରହୁଥିଲେ ନିଜ ଗାଁ ସହ ସବୁବେଳେ ସମ୍ପର୍କରେ ରୁହନ୍ତି । ଆଉ ଗାଁର ବିକାଶ କରିବାକୁ ଜଲିନ୍ଦର ଗାଁର ପଂଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ । ସରପଞ୍ଚ ପ୍ରାର୍ଥୀ ଭାବେ ଜଲିନ୍ଦର ଏକୁଟିଆ ହିଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।
ଆଜି ଜଲିନ୍ଦର ନିର୍ଦ୍ବନ୍ଦରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ଆଉ ସରପଞ୍ଚ ଭାବେ ନିର୍ବାଚିତ ହେବା ପରେ ହେଲିକପ୍ଟରରେ ଶପଥ ନେବାକୁ ପହଂଚିଥିଲେ । ତାଙ୍କୁ ସ୍ୱାଗତ କରିବାକୁ ଗ୍ରାମବାସୀ ସ୍ୱତନ୍ତ୍ର ଆୟୋଜନ କରିଥିଲେ । ଜଲିନ୍ଦରଙ୍କ କହିବା ମୁତାବକ ଗାଁର ବିକାଶ କରିବାକୁ ଦୀର୍ଘଦିନରୁ ସେ ସ୍ବପ୍ନ ଦେଖୁଥିଲେ, ଯାହାକି ଏବେ ସାକାର ହୋଇଛି ।