ଆଜି ମୋହା ଲଢ଼େଇ, ସୁପର-୮ରେ ମୁହାଁମୁହିଁ ହେବେ ଭାରତ – ଦକ୍ଷିଣ ଆଫ୍ରିକା

 

ନୂଆଦିଲ୍ଲୀ, ୨୨/୦୨ : ଆଜି ଅହମ୍ମଦାବାଦରେ ବଡ଼ ଲଢ଼େଇ । ସୁପର-୮ରେ ମୁହାଁମୁହିଁ ହେବେ ଦୁଇ ଶକ୍ତିଶାଳୀ ଦଳ ଭାରତ – ଦକ୍ଷିଣ ଆଫ୍ରିକା । ଲିଗ ପର୍ଯ୍ୟାୟରେ ଅପରାଜେୟ ରହିଛନ୍ତି ଉଭୟ ଦଳ । ରେକର୍ଡ କହୁଛି ଟି ଟ୍ବେଣ୍ଟି ବିଶ୍ବକପରେ ଭାରତର ପଲ୍ଲା ଭାରୀ । ଉଭୟ ଦଳ ୩୫ଟି ଟି ଟ୍ବେଣ୍ଟି ଆନ୍ତର୍ଜାତିକ ମ୍ୟାଚ ମଧ୍ୟରୁ ଭାରତ ୨୧ଟି ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ମାତ୍ର ୧୩ଟିରେ ବିଜୟୀ ହୋଇଛି । ଗୋଟିଏ ମ୍ୟାଚ୍ ବାତିଲ ହୋଇଥିଲା । ଟି ଟ୍ବେଣ୍ଟି ବିଶ୍ବକପରେ ଦୁଇ ଦଳ ପରସ୍ପରକୁ ୭ ଥର ଭେଟିଛନ୍ତି। ଭାରତ ୫ଟି ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ଜିତିପାରିଛି ମାତ୍ର ୨ଟି ମ୍ୟାଚ୍ । ବିଶେଷ କରି ନକ୍-ଆଉଟ୍ ମ୍ୟାଚରେ ପ୍ରୋଟିୟାସ ଦଳ ଏପର୍ଯ୍ୟନ୍ତ ଭାରତକୁ ହରାଇ ପାରିନାହିଁ । ଭାରତୀୟ ଦଳ ନିକଟ ଅତୀତରେ ମଧ୍ୟ ଦକ୍ଷିଣ ଆଫ୍ରିକା ବିରୋଧରେ ଉତ୍ତମ ପ୍ରଦର୍ଶନ କରିଛି । ୨୦୨୪ ଶେଷ ଏବଂ ୨୦୨୫ ଆରମ୍ଭରେ ହୋଇଥିବା ସିରିଜରେ ଭାରତ ୩-୧ରେ ବିଜୟୀ ହୋଇଥିଲା । ବର୍ତ୍ତମାନ ଦୁଇ ଦଳ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହି ଆଜି ମଇଦାନକୁ ଓହ୍ଲାଇବେ। କିନ୍ତୁ ଚଳିତ ବିଶ୍ବକପର ଲିଗ ପର୍ଯ୍ୟାୟରେ ଶକ୍ତିଶାଳୀ ବ୍ୟାଟିଂ ଓ ବୋଲିଂ ସତ୍ତ୍ବେ ମ୍ୟାଚ ଜିତିବା ପାଇଁ ସଂଘର୍ଷ କରିଥିଲା ଟିମ ଇଣ୍ଡିଆ। ବିଶେଷକରି ଅଫ ସ୍ପିନକୁ ଖେଳିବାରେ ଭାରତୀୟ ବ୍ୟାଟର ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେପଟେ ଲଗାତାର ୩ଟି ମ୍ୟାଚରେ ଖାତା ଖୋଲି ପାରିନଥିବା ଅଭିଷେକ ଶର୍ମାଙ୍କୁ ନେଇ ଟେନସନରେ ଟିମ । ଭାରତର ଶକ୍ତିଶାଳୀ ବ୍ୟାଟିଂ ଓ ଘାତକ ବୋଲିଂ ଆକ୍ରମଣକୁ ସାମ୍ନା କରିବା ଦକ୍ଷିଣ ଆଫ୍ରିକା ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ ବୋଲି କ୍ରିକେଟ୍ ପଣ୍ଡିତଙ୍କ ମତ ।