ନୂଆଦିଲ୍ଲୀ, ୧୬/୦୨ : ଟି-୨୦ ବିଶ୍ଵକପରେ ପୁଣି ଥରେ ପାକିସ୍ତାନକୁ ଧୂଳି ଚଟାଇଛି ଭାରତ। ପ୍ରେମଦାସା ଷ୍ଟାଡିୟମରେ ଖେଳା ଯାଇଥିବା ମହାମୁକାବିଲାରେ ଭାରତ ପାକିସ୍ତାନକୁ ୬୧ ରନରେ ହରାଇଛି। ବିଜୟ ସହ ଭାରତ ଚଳିତ ଟି-୨୦ ବିଶ୍ଵକପର ସୁପର-୮ରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଥିଲା। ଜବାବରେ ପାକିସ୍ତାନ ୧୮ ଓଭରରେ ୧୧୪ ରନରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ଇଶାନ କିଶାନ ୭୭ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଏହା ପରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ପାରି ନ ଥିଲା ପାକିସ୍ତାନ।
ଏହି ମ୍ୟାଚରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଭିଷେକ ଶର୍ମା କୌଣସି ସ୍କୋର ନକରି ଆଉଟ୍ ହୋଇଥିଲେ, କିନ୍ତୁ ଇଶାନ କିଶାନ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେ ୪୦ ବଲରେ ୭୭ ରନ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୨ ରନ କରିଥିଲେ। ରିଙ୍କୁ ସିଂହ ଏବଂ ଶିବମ୍ ଦୁବେ ଶେଷ ଓଭରଗୁଡ଼ିକରେ ଆକ୍ରମଣାତ୍ମକ ବ୍ୟାଟିଂ କରିବାରୁ ଭାରତ ୧୭୫ ରନ କରି ପାରିଥିଲା। ପାକିସ୍ତାନର ବ୍ୟାଟିଂ କ୍ରମ ଭାରତର ଶାଣିତ ବୋଲିଂକୁ ସାମ୍ନା କରିପାରି ନଥିଲା। ପ୍ରଥମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲରେ ସାହିବଜାଦା ଫରହାନ ଆଉଟ୍ ହୋଇଥିଲେ। ତା’ପରେ, ପରବର୍ତ୍ତୀ ଓଭରରେ, ଯଶପ୍ରୀତ ବୁମରା ପାକିସ୍ତାନୀ ବ୍ୟାଟିଂର ବିପର୍ଯ୍ୟୟ ଘଟାଇଥିଲେ। ବୁମରାହ ସେହି ଓଭରରେ ସାମ ଆୟୁବ ଏବଂ ସଲମାନ ଆଗାଙ୍କୁ ଆଉଟ୍ କରି ପାକିସ୍ତାନୀ ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ବାବର ଆଜମ ପୁଣି ଥରେ ପ୍ରମାଣ କଲେ ଯେ ସେ ଟି-୨୦ ଦଳରେ ସ୍ଥାନ ପାଇବାର ଯୋଗ୍ୟ ନୁହଁନ୍ତି। ବାବର ମାତ୍ର ୫ ରନ୍ କରିଥିଲେ। ଉସମାନ ଖାନ ୪୪ ରନ୍ କରିଥିଲେ ହେଁ ତାଙ୍କୁ ଅନ୍ୟ ପାର୍ଶ୍ଵରୁ କୌଣସି ସହଯୋଗ ମିଳିନ ଥିଲା। ଶାହିନ ଆଫ୍ରିଦି ୨୩ ରନ୍ କରି ଅପରାଜିତ ରହିଥିଲେ। ପାକିସ୍ତାନୀ ଦଳର ପ୍ରଦର୍ଶନ ଏତେ ଖରାପ ଥିଲା ଯେ, ଉସମାନ ଏବଂ ଶାହିନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟସମ୍ୟାନ୍ ୨୦ ରନ ମଧ୍ୟ ଛୁଇଁ ପାରିନଥିଲେ।
Prev Post