ଟି-୨୦ ବିଶ୍ବକପ : ସ୍କଟଲାଣ୍ଡକୁ ୮ ଓ୍ବିକେଟରେ ହରାଇଲା ଭାରତ

ଦୁବାଇ,୫/୧୧ : ଦୁବାଇରେ ଟି-୨୦ ବିଶ୍ବକପ ଗ୍ରୁପ-୨ର ଏକ ମ୍ୟାଚରେ ଭାରତ ସ୍କଟଲାଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କରିଛି । ସ୍କଟଲାଣ୍ଡ ଦ୍ବାରା ରଖାଯ଼ାଇଥିବା ୮୬ରନର ଲକ୍ଷ୍ୟକୁ ଭାରତ ମାତ୍ର ୬.୩ ଓଭରରେ ହିଁ ୨ ଓ୍ବିକେଟ ହରାଇ ହାସଲ କରିନେଇଥିଲା । କେଏଲ ରାହୁଲ ୫୦ ରନ ଓ ରୋହିତ ଶର୍ମା ୩୦ ରନ କରିଥିଲେ ।

ଏହି ମ୍ୟାଚରେ ସ୍କଟଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ସ୍କଟଲାଣ୍ଡ ୧୭.୪ ଓଭରରେ ୮୫ ରନ କରି ଅଲଆଉଟ ହୋଇଯ଼ାଇଥିଲା । ସ୍କଟଲାଣ୍ଡର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ସାମନାରେ ବେଶୀ ସମୟ ତିଷ୍ଠି ପାରିନଥିଲେ । କେବଳ ମୁନସୀ ୨୪ ଓ ଲିସକ ୨୧ ରନ କରିପାରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସମୀ ଓ ରବୀନ୍ଦ୍ର ଜାଦେଜା ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ବୁମରା ୨ଟି ଓ୍ବିକେଟ ନେଇଥିଲେ ।

ଅନ୍ୟପକ୍ଷରେ ସାରଜାଠାରେ ଖେଳାଯ଼ାଇଥିବା ଆଜିର ଅନ୍ୟ ଏକ ମ୍ୟାଚରେ ନ୍ୟୁଜିଲାଣ୍ଡ ନାମିବ୍ୟାକୁ ୫୨ ରନରେ ପରାସ୍ତ କରିଛି । ଏହି ମ୍ୟାଚରେ ନାମିବ୍ୟା ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୧୬୩ରନ କରିଥିଲା । ୧୬୪ରନ ଲକ୍ଷ୍ୟର ପିଛା କରିବାକୁ ଯ଼ାଇ ନାମିବ୍ୟା ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୧୧ ରନ କରିବାକୁ ସକ୍ଷମ ହୋଇଥିଲା ।