ନୂଆଦିଲ୍ଲୀ, ୦୫/୦୩ : ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ। ବେଙ୍ଗାଲୁରୁର ଏକ ଡିଫେନ୍ସ ଷ୍ଟାର୍ଟଅପ୍ କମ୍ପାନୀ ‘ନ୍ୟୁସ୍ପେସ୍ ରିସର୍ଚ୍ଚ ଟେକ୍ନୋଲୋଜି’ ଦ୍ୱାରା ବିକଶିତ ହୋଇଛି ‘ଶେଷନାଗ-୧୫୦’। ଏୟାର ଡିଫେନ୍ସ ରାଡାରକୁ ଚକମା ଦେଇ ଶତ୍ରୁର ଆଡ୍ଡାକୁ ଧ୍ୱଂସ କରିବାର କ୍ଷମତା ରଖିଛି କାମିକାଜେ ବା ଆତ୍ମଘାତୀ ଡ୍ରୋନ ଶେଷ ନାଗ । ଏହି ଡ୍ରୋନର ଲକ୍ଷ୍ୟ ଭେଦ କ୍ଷମତା ୧ ହଜାର କିଲୋମିଟରରୁ ଅଧିକ ରହିଥିବା ବେଳେ ଏହା ନିରବଚ୍ଛିନ୍ନ ଭାବେ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ଉଡି ଶତ୍ରୁ ସହ ମୁକାବିଲା କରିପାରିବ। ୨୫ରୁ ୪୦ କିଲୋଗ୍ରାମ ପର୍ଯ୍ୟନ୍ତ ବିସ୍ଫୋରକ ସାମଗ୍ରୀ ବହନ କ୍ଷମତା ଥିବା ବେଳେ ଏହି ଡ୍ରୋନ ଶତ୍ରୁର ଟ୍ୟାଙ୍କକୁ ନଷ୍ଟ କରିପାରିବ। ଏହି ଆତ୍ମଘାତୀ ଡ୍ରୋନର ସବୁଠାରୁ ବଡ ବିଶେଷତ୍ୱ ହେଲା ସ୍ୱାର୍ମ ଆଟାକ୍। ଶହ ଶହ ଡ୍ରୋନ୍ ଶତ୍ରୁର ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ରମଣ କରି ଅକାମୀ କରିବାର କ୍ଷମତା ରହିଛି। ଜିପିଏସ କାମ କରୁନଥିବା କିମ୍ବା ଜାମ ହୋଇଥିବା ସ୍ଥାନରେ ଏହି ଡ୍ରୋନ୍ ‘ଭିଜୁଆଲ୍ ନେଭିଗେସନ୍’ ସିଷ୍ଟମ୍ ବ୍ୟବହାର କରି ଶତ୍ରୁକୁ ଖୋଜି ଆକ୍ରମଣ କରିଥାଏ। ଏହି ଡ୍ରୋନ କେବଳ ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ ନାହିଁ ବରଂ ପ୍ରତିରକ୍ଷା ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।