ପୋଙ୍ଗୟାଙ୍ଗ ହ୍ରଦ ନିକଟରେ ସମସ୍ତ ନିର୍ମାଣ କାର୍ଯ୍ୟ ଉଚ୍ଛେଦ କରିବେ ଭାରତ ଓ ଚୀନ

ନୂଆଦିଲ୍ଲୀ, ୧୩/୧୧: ଲଦାଖ ସୀମାରେ ଏବେ ଶାନ୍ତି ଫେରାଇ ଆଣିବାକୁ ଭାରତ ଓ ଚୀନ ପୋଙ୍ଗୟାଙ୍ଗ ହ୍ରଦ ନିକଟରେ ସମସ୍ତ ନିର୍ମାଣ କାର୍ଯ୍ୟ ଉଚ୍ଛେଦ କରିବେ। ଏଏନଆଇରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଦୁଇ ଦେଶ ଏପ୍ରିଲ-ମେ ପରେ ଯେଉଁ ନିର୍ମାଣ କାର୍ଯ୍ୟ କରିଛନ୍ତି ସେସବୁ ହଟାଇବେ ବୋଲି ରାଜି ହୋଇଛନ୍ତି। ଏହା ସହ ଏଲଏସି ପାଖରେ ଥିବା ଫିଙ୍ଗର ୪ରୁ ଫିଙ୍ଗର ୮ ମଧ୍ୟରେ କୌଣସି ପ୍ରକାର ପାଟ୍ରୋଲିଂ ହେବ ନାହିଁ।

ଲଦାଖର ଚୁଶୁଲରେ ଭାରତ-ଚୀନ ମଧ୍ୟରେ ଅଷ୍ଟମ ଥର ପାଇଁ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲା। ଏଥିରେ ୩ ଫେଜ୍‌ ବିଶିଷ୍ଟ ଯୋଜନା ଉପରେ ଉଭୟ ଦେଶ ସହମତି ଦେଇଥିବା ଜଣାପଡ଼ିଥିଲା। ପ୍ରଥମ ଚରଣରେ ପୋଙ୍ଗୟାଙ୍ଗ ଅଞ୍ଚଳରେ ପ୍ରଥମ ସପ୍ତାହରେ ଖାଲି କରାଯିବ। ଟ୍ୟାଙ୍କ ଓ ସୈନିକଙ୍କୁ ଫେରାଇ ନିଆଯିବ। ଦ୍ବିତୀୟ ଚରଣରେ ଉଭୟ ସେନା ପୋଙ୍ଗୟାଙ୍ଗ ଅଞ୍ଚଳରୁ ପ୍ରତିଦିନ ନିଜର ୩୦ ପ୍ରତିଶତ ସେନା ପ୍ରତ୍ୟାହାର କରିବେ। ଏହି ପ୍ରକ୍ରିୟା ୩ ଦିନ ଚାଲିବ। ଏହି ସମୟରେ ଚୀନ ସେନା ଫିଙ୍ଗର ୮ ପାଖକୁ ଫେରିବାକୁ ଥିବା ବେଳେ ଭାରତୀୟ ସେନା ଧାନ ସିଂହ ଥାପା ପୋଷ୍ଟକୁ ଯିବ ବୋଲି ଜଣାପଡ଼ିଛି।