ବାଂଲାଦେଶକୁ ୧୦ଟି ରେଳ‌ ଇଞ୍ଜିନ୍‌ ଦେଲା ଭାରତ

ନୂଆଦିଲ୍ଲୀ : ପଡ଼ୋଶୀ ବାଂଲାଦେଶର ରେଳବାଇ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ସୋମବାର ଦିନ ଭାରତ ଦଶଟି ବ୍ରୋଡ୍ ଗେଜ୍ ଡିଜେଲ୍‌ ଇଞ୍ଜିନ୍ ହସ୍ତାନ୍ତର କରିଛି। ରେଳ ମନ୍ତ୍ରୀ ପୀୟୂଷ ଗୋୟଲ୍‌ ଓ ସୀମାପାରିର ଅନ୍ୟାନ୍ୟ ଗଣ୍ୟମାନ୍ୟଙ୍କ ଉପସ୍ଥିତିରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଅନ୍‌ଲାଇନ୍‌ରେ ଇଞ୍ଜିନ୍‌ଗୁଡ଼ିକୁ ଫ୍ଲାଗ୍‌ ଅଫ୍ କରିଥିଲେ।

ଡବ୍ଲୁଡିଏମ୍‌-୩ଡି ଶ୍ରେଣୀୟ (ଏକ ଜାତୀୟ ଡିଜେଲ୍‌-ଇଲେକ୍ଟ୍ରିକ୍ ଲୋକୋମୋଟିଭ୍) ଏହି ଦଶଟି ଇଞ୍ଜିନ୍‌ର ପରମାୟୁ ୨୮ ବର୍ଷ କିମ୍ବା ତା’ଠାରୁ ଅଧିକ ଦିନ ରହିବ। ଏଗୁଡ଼ିକର କ୍ଷମତା ୩, ୩୦୦ ଅଶ୍ବଶକ୍ତି ବିଶିଷ୍ଟ ଏବଂ ବେଗ ଘଣ୍ଟାପ୍ରତି ବେଗ ୧୨୦ କିଲୋମିଟର୍। ମାଇକ୍ରୋକମ୍ପ୍ରେସର୍ଭିତ୍ତିକ କଣ୍ଟ୍ରୋଲ୍‌ ସିଷ୍ଟମ୍‌ ଥିବାରୁ ଏହି ଇଞ୍ଜିନ୍ ସବୁ ମାଲ୍ ଗାଡ଼ି ଏବଂ ଯାତ୍ରୀ ପରିବହନ ଟ୍ରେନ୍‌ ପାଇଁ ଭଲ। ଏହାଛଡ଼ା ବାଂଲାଦେଶ ରେଳବାଇର ସର୍ବାଧିକ ଉଚ୍ଚତା କଟକଣାକୁ ସୁହାଇଲା ଭଳି ଭାରତୀୟ ରେଳବାଇ ଏହି ଇଞ୍ଜିନଗୁଡ଼ିକର ଆବଶ୍ୟକ ପରିବର୍ତ୍ତନ କରିଛି।

ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ଅନ୍ତର୍ଗତ ଇଷ୍ଟର୍ଣ୍ଣ ରେଲ୍‌ୱେଜ୍‌ର ଗେଡ଼େ ‌ଷ୍ଟେସନ୍‌ରେ ଏହି ଇଞ୍ଜିନଗୁଡ଼ିକୁ ହସ୍ତାନ୍ତର କରାଯାଇଥିଲା। ଏଗୁଡ଼ିକ ବାଂଲାଦେଶର ଦର୍ଶନ ଷ୍ଟେସନ୍‌ରେ ବାଂଲାଦେଶ ତରଫରୁ ଗ୍ରହଣ କରାଯିବ। କରୋନାଭାଇରସ୍ ମହାମାରୀ ଯୋଗୁଁ ସଡ଼କ ପଥରେ ସୀମାନ୍ତ ପାରି ବାଣିଜ୍ୟରେ ବାଧା ଉପୁଜିବାରୁ ସମ୍ପ୍ରତି ବାଂଲାଦେଶ ରେଳପଥରେ ବାଣିଜ୍ୟ ଚଳାଇବାକୁ ଆଗଭର ହୋଇଛି।