ନୂଆଦିଲ୍ଲୀ, ୦୧/୦୨ : ଭାରତ ନିଜର ଶେଷ ଟି-୨୦ ମ୍ୟାଚ୍ ଜିତିଛି। ହାଇସ୍କୋରିଂ ମୁକାବିଲାରେ ଭାରତ ଭ୍ରମଣକାରୀ ନ୍ୟୁଜିଲାଣ୍ଡକୁ ୪୬ ରନରେ ହରାଇଛି। ଇଶାନ କିଶନଙ୍କ ଧୂଆଁଧାର ଶତକ ଏବଂ ଅର୍ଶଦୀପ ସିଂଙ୍କ ୫ ଓ୍ଵିକେଟ୍ ସଫଳତା ବଳରେ ଭାରତ ଶେଷ ଟି-୨୦ ଜିତିବା ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୪-୧ରେ ବିଜୟୀ ହୋଇଛି। ଭାରତ ଦ୍ଵାରା ଧାର୍ଯ୍ୟ ୨୭୨ ରନ ବିଶାଳ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ୨୨୫ ରନ କରି ପାରିଛି। ଫିନ ଆଲେନ ଧୂଆଁଧାର ୮୦ ରନର ଇନିଂସ ଖେଳିଥିଲେ ବି ଭାରତର ବିଶାଳ ସ୍କୋର ପାଇଁ ଏହା ପର୍ଯ୍ୟାପ୍ତ ନ ଥିଲା। ଭାରତ ପାଇଁ ଇଶାନ କିଶନ ୧୦୩ ରନ, ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୬୩ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୨ ରନ କରିଥିଲେ। ୨୭୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ନ୍ୟୁଜିଲାଣ୍ଡ ୧୭ ରନ ସ୍କୋରରେ ଟିମ୍ ସେଇଫର୍ଟ(୫)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଏହା ପରେ ସିରିଜରେ ଅନ୍ତିମ ମ୍ୟାଚ୍ ଖେଳିଥିବା ଫିନ ଆଲେନ ଭାରତୀୟ ବୋଲରଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ। ସେ ନିର୍ଧୁମ ପ୍ରହାର କରି ଭାରତୀୟ ଦଳକୁ ଚାପରେ ରଖିଥିଲେ। ସେ ଚୌକା ଓ ଛକା ବର୍ଷା କରି ନ୍ୟୁଜିଲାଣ୍ଡ ପାଇଁ ମୂଳଦୁଆ ପକାଇଥିଲେ। ସେ ଓ ରଚିନ ରବୀନ୍ଦ୍ରନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୦୦ ରନ ଯୋଡ଼ିଥିଲେ। ଭାରତ ପାଇଁ ଚିନ୍ତାର କାରଣ ପାଲଟିଥିବା ଫିନ ଆଲେନଙ୍କୁ ଆଉଟ୍ କରିଥିଲେ ଅକ୍ଷର ପଟେଲ। ଫିନ ୩୮ ବଲରୁ ୮ ଚୌକା ଓ ୬ ଛକା ସହ ୮୦ ରନ କରିଥିଲେ।
ଏହା ପରେ ଅର୍ଶଦୀପ ସିଂ ଆଉ ଦୁଇଟି ଓ୍ଵିକେଟ୍ ନେଇ କିଓ୍ଵି ଦଳକୁ ବ୍ୟାକଫୁଟକୁ ଠେଲିଥିଲେ। ଗ୍ଲେନ ଫିଲିପ୍ସ(୭ ) ଅକ୍ଷରଙ୍କ ଶିକାର ହୋଇଥିଲେ। ମିଚେଲ୍ ସାଣ୍ଟନର ଖାତା ଖୋଲି ପାରି ନ ଥିଲେ। ଶେଷ ଆଡ଼କୁ ଅର୍ଶଦୀପ ସିଂ କିଓ୍ଵି ଦଳର ନିୟମିତ ଓ୍ଵିକେଟ୍ ନେଇ ଭାରତ ବିଜୟ ସୁନିଶ୍ଚିତ କରିଥିଲେ। ଇଶ ସୋଢି ୧୫ ବଲରୁ ୩୩ ରନର କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରି ନ ଥିଲେ। ନ୍ୟୁଜିଲାଣ୍ଡ ୧୯.୪ ଓଭରରେ ୨୨୫ ରନ କରି ପାରିଥିଲା।
ଅର୍ଶଦୀପ ସିଂ ୪ ଓଭରରେ ୫୧ ରନ ଦେଇଥିଲେ ହେଁ ୫ ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଅକ୍ଷର ପଟେଲ୍ ୩୩ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ବରୁଣ ଓ ରିଙ୍କୁଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଥିଲା। ଆଜି ଯଶପ୍ରୀତ ବୁମରା ୪ ଓଭରରେ ୫୮ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସଞ୍ଜୁ ସାମସନ୍ ପୁଣି ଥରେ ବିଫଳ ହୋଇଥିଲେ, ମାତ୍ର ୬ ରନ କରି ପାଭିଲିୟନ ଫେରିଥିଲେ। ଅଭିଷେକ ଶର୍ମା ୧୬ ବଲରୁ ତାଙ୍କର ୩୦ ରନର ଦ୍ରୁତ ଇନିଂସ ଖେଳିଥିଲେ।