ଶ୍ରମିକ ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ

ଭୁବନେଶ୍ୱର, ୨୬/୧୧ : ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କର ଜନ ବିରୋଧୀ ନୀତି ଓ ଏକଛତ୍ରବାଦ ଶାସନକୁ ବିରୋଧ କରି ଏହି ବନ୍ଦ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ରାଜ୍ୟ କଂ‌ଗ୍ରେସ ମଧ୍ୟ ସମର୍ଥନ କରୁଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇ କହିଛିନ୍ତି। ଗୁରୁବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସହ ଅନ୍ୟ ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଓ ଗାଡ଼ି ମୋଟର ଚଳାଚଳ ବନ୍ଦ ରଖିବାକୁ ସଂଗଠନମାନଙ୍କ ପକ୍ଷରୁ ଆହ୍ବାନ ଦିଆଯାଇଛି।

ସହରର ପ୍ରମୁଖ ଛକ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ରେଳଷ୍ଟେସନ, ବସ୍‌ଷ୍ଟାଣ୍ଡ ପ୍ରଭୃତି ୧୭ଟି ସ୍ଥାନରେ ପିକେଟିଂ କରିବାକୁ ସଂଗଠନ ସମୂହ ଯୋଜନା କରିଛନ୍ତି। ଏଥିପାଇଁ କମିସନରେଟ୍‌ ପୁଲିସ ପ୍ରସ୍ତୁତ ରହିଛି। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ ଆନ୍ଦୋଳନକାରୀଙ୍କୁ ଗିରଫ କରାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।