ଆଜି ଇନ୍ଦୋରରେ ଭାରତ- ନ୍ୟୁଜିଲାଣ୍ଡ ୩ୟ ଦିନିକିଆ

ନୂଆଦିଲ୍ଲୀ, ୧୮/୦୧ : ଆଜି ଇନ୍ଦୋରରେ ଭାରତ- ନ୍ୟୁଜିଲାଣ୍ଡ ୩ୟ ଦିନିକିଆ । ଉଭୟ ଟିମ ପାଇଁ କର ବା ମର ସ୍ଥିତି । ଆଜିର ମ୍ୟାଚ ଯେଉଁ ଦଳ ଜିତିବ ସେ ଶୃଙ୍ଖଳା ଜିତିବ । ଆଜିର ମ୍ୟାଚକୁ ଜିତି ସିରିଜ ହାତେଇବାକୁ ଉଦ୍ୟମ କରିବେ ଉଭୟ ଦଳ । ଭାରତର ଦୁଇ ପ୍ରମୁଖ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମା ଦମଦାର ଫର୍ମରେ ଅଛନ୍ତି । କିନ୍ତୁ ୨ୟ ମ୍ୟାଚରେ ଉଭୟ ଭଲ ପ୍ରଦର୍ଶନ କରିପାରିନଥିଲେ । ଅଧିନାୟକ ଶୁବମନ ଗିଲ୍ ଅର୍ଦ୍ଧଶତକ କରି ଫର୍ମକୁ ଫେରିବାର ସଂକେତ ଦେଇଛନ୍ତି । ଗତ ମ୍ୟାଚରେ ଅଭିଜ୍ଞ କେଏଲ ରାହୁଲଙ୍କ ଶତକ ଦଳ ପାଇଁ ଶୁଭ ସଂକେତ । ଏପଟେ ବୋଲିଂ ବିଭାଗରେ ଭାରତ ଯଦି ଅର୍ଶଦୀପ ସିଂଙ୍କୁ ଖେଳାଏ, ତେବେ ପ୍ରସିଦ୍ଧ କୃଷ୍ଣଙ୍କୁ ବସାଇବାର ସମ୍ଭାବନା ରହିଛି । ଗତ ମ୍ୟାଚରେ ଭାରତୀୟ ଦଳ ୬ଷ୍ଠ ବୋଲରଙ୍କ ଅଭାବ ଅନୁଭବ କରିଥିଲା । ଏହାର ଫାଇଦା ନେଇ ନିଜ ଦଳ ପାଇଁ ବିଜୟ ଆଣିଦେଇଥିଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡାରିଲ ମିଚେଲ୍ । ବୋଲିଂ ଦୁର୍ବଳତାକୁ ଭାରତ କିପରି ଦୂର କରିବ ତାହା ଉପରେ ସମସ୍ତଙ୍କ ନଜର । ଇନ୍ଦୋରର ହୋଲକର ଷ୍ଟାଡିୟମରେ ୨୦ ବର୍ଷ ତଳେ ଅର୍ଥାତ ୨୦୦୬ରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଥିଲା । ଭାରତୀୟ ଦଳ ଏପର୍ଯ୍ୟନ୍ତ ଏହି ଷ୍ଟାଡିୟମରେ ୭ଟି ମ୍ୟାଚ ଖେଳିଛି ଓ ସବୁମ୍ୟାଚରେ ବାଜି ମାରିଛି । ଅର୍ଥାତ ଇନ୍ଦୋରରେ ଭାରତର ରେକର୍ଡ ୭-୦ ରହିଛି । ହୋଲକର ଷ୍ଟାଡିୟମରେ ଶେଷ ମ୍ୟାଚ ୨୪ ସେପ୍ଟେମ୍ବର ୨୦୨୩ରେ ଖେଳାଯାଇଥିଲା । ଭାରତ ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇ ଥିଲା ।