ନୂଆଦିଲ୍ଲୀ : ଭାରତରେ ବାବା ଓ ମାତାମାନଙ୍କର ଅଭାବ ନାହିଁ। ତେବେ ଏପରି ବି ମାତା ଓ ବାବା ଅଛନ୍ତି ଯେଉଁମାନେ ଶିକ୍ଷା, ଆୟୁର୍ବେଦର ବ୍ୟବସାୟ ମଧ୍ୟ କରନ୍ତି। ଏପରି ବ୍ୟବସାୟ ଓ ଧାର୍ମିକ ପ୍ରବଚନ ବାବଦ ଶୁଳ୍କରୁ ଢେର ଆୟ କରନ୍ତି ଏହି ଆଧ୍ୟାତ୍ମିକ ବ୍ୟକ୍ତିମାନେ। ଦେଶ ଦୁନିଆରେ ରହିଛି ସେମାନଙ୍କର ବିପୁଳ ସମ୍ପତ୍ତି । ଏପରି ଜଣେ ଜଣେ ବାବା ଓ ମାତାଙ୍କ ନେଟୱର୍କ କେତେ ତାହା ଜାଣିଲେ ଆପଣ ବି ତାଜୁବ ହେବେ।
ବିବାଦୀୟ ଧର୍ମଗୁରୁ ନିତ୍ୟାନନ୍ଦ ଭାରତର ସବୁଠୁ ଧନୀ ବାବା । ହେଲେ ଏବେ ସେ ଦେଶ ଛାଡି ପଳାୟନ କରିଛନ୍ତି। ନିତ୍ୟାନନ୍ଦ ୨୦୦୩ ମସିହାରୁ ନିଜକୁ ସନ୍ଥ ରୂପେ ପ୍ରଚାରିତ କରିଥିଲେ। ନିତ୍ୟାନନ୍ଦଙ୍କ ନିକଟରେ ମୋଟ ୧୦ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଛି। ସେ ସାରା ବିଶ୍ୱରେ ଅନେକ ଗୁରୁକୁଳ, ଆଶ୍ରମ ଓ ମନ୍ଦିରର ପରିଚାଳନା କରୁଛନ୍ତି।
ସେହିପରି ଯୋଗ ଗୁରୁ ବାବା ରାମଦେବ ପତଞ୍ଜଳି ଆୟୁର୍ବେଦ ଲିମିଟେଡର ସ୍ଥାପନା କରିଛନ୍ତି। ୧୯୯୫ ମସିହାରେ ସେ ଦିବ୍ୟ ଯୋଗ ମନ୍ଦିରର ସ୍ଥାପନା କରିଥିଲେ। ବିଶ୍ୱରେ ଯୋଗକୁ ନୂଆ ପରିଚୟ ଦେବାରେ ବାବା ରାମଦେବଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ବାବା ରାମ ଦେବଙ୍କ ମୋଟ ସମ୍ପତ୍ତିର ପରିମାଣ ୧,୬୦୦ କୋଟି ଟଙ୍କା ଆକଳନ କରାଯାଇଛି।
ସେହିପରି ଶ୍ରୀ ଶ୍ରୀ ରବି ଶଙ୍କର ଦେଶର ପ୍ରଶିଦ୍ଧ ଧର୍ମଗୁରୁମାନଙ୍କ ମଧ୍ୟରେ ଅନ୍ୟତମ। ୧୫୦ ଦେଶରେ ତାଙ୍କର ୩୦ କୋଟିରୁ ଅଧିକ ଅନୁଗାମୀ ଅଛନ୍ତି। ସେ ଶିକ୍ଷା ଓ ଆୟୁର୍ବେଦିକ ଔଷଧର କାରବାର ମଧ୍ୟ କରନ୍ତି। ସେ ୧ ହଜାର କୋଟିରୁ ଅଧିକ ସମ୍ପତ୍ତିର ମାଲିକ ମଧ୍ୟ ଅଟନ୍ତି। ଭାରତରେ ତାଙ୍କର ବିଶେଷ ନାଁ ରହିଛି।
ମାତା ଅମୃତାନନ୍ଦମୟୀ ଦେବୀଙ୍କୁ ସାରା ବିଶ୍ୱରେ ଲୋକେ ‘ଆମ୍ମା’ ବୋଲି ଜାଣନ୍ତି। ସାରା ବିଶ୍ୱରେ ତାଙ୍କର ଅନୁଗାମୀ ଅଛନ୍ତି। ଆମ୍ମାଙ୍କୁ ତାଙ୍କ ମଠ ପକ୍ଷରୁ କରାଯାଉଥିବା ସାମାଜିକ କାର୍ଯ୍ୟ ଲାଗି ମଧ୍ୟ ଜଣାଯାଏ। ଆମ୍ମା ମୋଟ ୧,୫୦୦ କୋଟି ଟଙ୍କାର ସମ୍ପତ୍ତିର ମାଲିକାଣୀ ଅଟନ୍ତି। ତାଙ୍କ ସଂସ୍ଥା ଦେଶରେ ଅନେକ ଶିକ୍ଷାନୁଷ୍ଠାନର ମଧ୍ୟ ସ୍ଥାପନା କରିଛି।
ଦୁଷ୍କର୍ମ ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କର ମଧ୍ୟ ନେଟୱର୍ଥ କମ୍ ନୁହେଁ। ଆଶାରାମ ଟ୍ରଷ୍ଟ ଅନୁସାରେ ବାବାଙ୍କ ମୋଟ ନେଟୱର୍ଥ ୩୫୦ କୋଟି ଟଙ୍କାରୁ ମଧ୍ୟ ଅଧିକ। ଆସାରାମଙ୍କର ସାରା ଦେଶରେ ୩୫୦ରୁ ଅଧିକ ଆଶ୍ରମ ରହିଛି।
