ଚୀନର ସର୍ତ୍ତ: ଫିଙ୍ଗର ଅଞ୍ଚଳରୁ ଦୁଇ ସେନା ବରାବର ପଛକୁ ହଟନ୍ତୁ, ସର୍ତ୍ତକୁ ଭାରତର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ, ୨୩/୮: ଭାରତ ଓ ଚୀନ ମଧ୍ୟରେ ସଂପ୍ରତି ଉତ୍ତେଜନାମୂଳକ ସ୍ଥିତି ଜାରି ରହିଛି। ଏହାମଧ୍ୟରେ ପୂର୍ବ ଲାଦାଖ ଫିଙ୍ଗର କ୍ଷେତ୍ରରେ ସମାନ ଦୂରତ୍ୱ ପଛକୁ ଘୁଞ୍ଚିବାକୁ ଚୀନର ପ୍ରସ୍ତାବକୁ ଖାରଜ କରି ଦେଇଛି ଭାରତ । ସୀମା ବିବାଦ ସମାଧାନ ନିମନ୍ତେ ଦୁଇ ଦେଶ ମଧ୍ୟରେ କୂଟନୀତିଜ୍ଞ ଓ ସୈନ୍ୟସ୍ତରରେ କଥାବାର୍ତା ୩ ମାସ ଧରି ଚାଲିଥିଲେ ହେଁ ତାହା ସମାଧାନ ହୋଇପାରୁ ନାହିଁ ।

ସହଜ ଭାଷାରେ ଚୀନର ଷଡଯନ୍ତ୍ର ବିଷୟରେ କହିବାକୁ ଗଲେ ଚୀନ ଫିଙ୍ଗର ୪ ରୁ ଫିଙ୍ଗର ୮କୁ ଚାଲିଯିବ ଏବଂ ଭାରତ ମଧ୍ୟ ଫିଙ୍ଗର ୪ ରୁ ଫିଙ୍ଗର ୧କୁ ଚାଲିଯିବ। କିନ୍ତୁ ଭାରତ ଫିଙ୍ଗର ୮ ପର୍ଯ୍ୟନ୍ତ ପାଟ୍ରୋଲିଂ କରିଥାଏ। ଯଦି ଚୀନର ପ୍ରସ୍ତାବ ସ୍ଵୀକାର କରାଯାଏ ତେବେ ଭାରତ ଫିଙ୍ଗର ୧ରେ ହିଁ ସୀମିର ରହିଯିବ। ଚୀନର ରଣନୀତି ଏହା ଯେ, ଭାରତକୁ ତାରି ସୀମା ଭିତରେ ସୀମିତ କରି ଦିଆଯାଉ। ହେଲେ ଭାରତ ରୋକ୍ ଠୋକ୍ ଭାବେ ଚୀନର ଏହି ଦାବିକୁ ଖାରଜ କରିଛି।

ଚୀନ ପକ୍ଷ ପରାମର୍ଶ ଦେଇଥିଲେ ଯେ, ଭାରତ ଓ ଚୀନ ଉଭୟ ଫିଙ୍ଗର-୪ରୁ ସମାନ ଭାବେ ପଛକୁ ହଟିଯିବା ଉଚିତ୍। କିନ୍ତୁ ଭାରତ ଚୀନର ଏହି ପ୍ରସ୍ତାବକୁ ସ୍ଵୀକାର କରିନାହିଁ। କାରଣ ଏଥିରେ ଭାରତକୁ ନିଜ ମାଟି ହରାଇବାର ଆଶଙ୍କା ରହିଛି। ଭାରତ ସ୍ପଷ୍ଟ ଶବ୍ଦରେ କହିଛି ଚୀନ ସେନା ଫିଙ୍ଗର ୪ ଓ ଫିଙ୍ଗର ୫ ଅଞ୍ଚଳକୁ ସଂପୂର୍ଣ୍ଣ ଭାବେ ଖାଲି କରୁ ଏବଂ ସିରିଜାପ ଇଲାକାରେ ସ୍ଥିତାବସ୍ଥା କାଏମ ରଖୁ।