ଅଷ୍ଟ୍ରେଲିଆକୁ ୩୦୩ ରନ୍‌ର ଟାର୍ଗେଟ ଦେଲା ଭାରତ

କାନ୍‌ବେରା,୨ /୧୨: ଅଷ୍ଟ୍ରେଲିଆରେ ଚାଲିଥିବା ୩ୟ ଦିନିକିଆରେ ଟିମ୍‌ ଇଣ୍ଡିଆର ଘରୋଇ ଦଳକୁ ୩୦୩ ରନ୍‌ର ଟାର୍ଗେଟ୍‌ ଦେଇଛି। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବାବେଳେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍‌ ବିନିମୟରେ ୩୦୨ ରନ୍‌ ସଂଗ୍ରହ କରିଛି। ପ୍ରଥମ ୨ଟି ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇ ସିରିଜକୁ ହାତେଇ ନେଇଛି। ଭାରତୀୟ ଦଳ ସମ୍ମାନ ରକ୍ଷା ପାଇଁ ଏହି ମ୍ୟାଚ୍‌ ଜିତିବା ଜରୁରୀ ହୋଇପଡ଼ିଛି।

ଭାରତ ପ୍ରଥମେ ବ୍ୟାଟିଂ କରିଥିଲେ ହେଁ ଭଲ ଆରମ୍ଭ କରି ନ ଥିଲା। ଆଜି ସବମନ୍‌ ଗିଲ୍‌ ଏବଂ ଶିଖର ଧୱନ ଓପନିଂ କରିଥିଲେ । ୬ ଓଭରରେ ଦଳ ୨୬ ରନ୍‌ କରିଥିବାବେଳେ ଧୱନଙ୍କୁ ହରାଇଥିଲା। ଗିଲ୍‌ ମଧ୍ୟ ବେଶୀ ସମୟ ରହିପାରି ନ ଥିଲେ। ସେ ୩୯ ବଲ୍‌ରେ ୩୩ ରନ୍‌ କରିଥିଲେ।

୩ ନମ୍ବରରେ ଆସିଥିବା ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ସେ ୭୮ ବଲ୍‌ରେ ୬୩ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଏହା ପରେ ପରେ ଶେୟସ ଆୟାର ୧୯ ଓ କେ.ଏଲ. ରାହୁଲ ୫ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ୩୨ ଓଭରରେ ଦଳ ୧୫୨ ରନ୍‌ କରିଥିବାବେଳେ ମୂଲ୍ୟବାନ୍‌ ୫ଟି ଓ୍ବିକେଟ୍‌ ହରାଇ ଶୋଚନୀୟ ସ୍ଥିତିର ସମ୍ମୁଖୀନ ହୋଇଥିଲା।

କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ଧୈର୍ଯ୍ୟର ସହିତ ବ୍ୟାଟିଂ କରି ଆକର୍ଷଣୀୟ ଇନିଂସ ଖେଳିଥିଲେ। ଉଭୟେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳର ସ୍କୋରକୁ ୩୦୦ ପାର୍‌ କରାଇଥିଲେ। ଉଭୟଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଟିମ୍‌ ଇଣ୍ଡିଆ ଏକ ସମ୍ମାନଜନକ ସ୍କୋର କରି ପାରିଥିଲା।

ପାଣ୍ଡ୍ୟା ୭୫ ବଲ୍‌ରେ ୯୦ ରନ୍‌ ସଂଗ୍ରହ କରିଥିବାବେଳେ ସେଥିରେ ୭ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଅଛି। ସେହିପରି ଜାଡେଜା ୫୦ ବଲ୍‌ରେ ୫ ଚୌକା ଓ ୩ ଛକା ସହାୟତାରେ ୬୬ ରନ୍‌ କରିଥିଲେ।

ଅଷ୍ଟ୍ରେଲିଆ ଟିମ୍‌ ପକ୍ଷରୁ ଆଷ୍ଟନ ଅଗର ସର୍ବାଧିକ ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ। ହାଜେଲଉଡ୍‌, ସିନ୍‌ ଆବୋଟ ଏବଂ ଆଦାମ ଜାମ୍ପା ଯଥାକ୍ରମେ ଗୋଟିଏ ଲେଖାଏ ୱିକେଟ୍‌ ନେଇଥିଲେ।