ନୂଆଦିଲ୍ଳୀ ୭।୯: ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ବିକାଶ ଦିଗରେ ଦେଶ ଆଉ ଏକ ପାଦ ଆଗକୁ ବଢ଼ିଛି। ପ୍ରତିରକ୍ଷା ଗବେଷଣା ଏବଂ କିକାଶ (ଡିଆରଡିଓ) ଦେଶରେ ନିର୍ମିତ ପ୍ରଥମ ହାଇପରସୋନିକ ଟେକ୍ନୋଲଜି ଡେମନେଷ୍ଟ୍ରେଟର ଭେଇକଲ (ଏଚଏସଟିଡିବି)ର ସଫଳ ପରୀକ୍ଷଣ କରିଛନ୍ତି। କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୋମବାର ଏହି ସୂଚନା ଦେଇଛନ୍ତି। ଏହି ସଫଳତା ସହ ଏବେ ସବୁ ପ୍ରକାର ସମ୍ବେଦନଶୀଳ ଟେକ୍ନିକ୍କୁ ଆଗାମୀ ପର୍ଯ୍ୟାୟ ପାଇଁ ନିର୍ମାଣ ସରିଛି।
ଏହା ଘଣ୍ଟା ପ୍ରତି ୭,୩୫୦ କିମି ବେଗରେ ଗତି କରିବ। ତେବେ ମାତ୍ର ୨୦ ସେକେଣ୍ଡରେ ୩୨.୫ କିମି ଦୂର ଯାଇପାରିବ। ଏହି ଏୟାରକ୍ରାଫ୍ଟକୁ କେବଳ ଦୀର୍ଘ ଦୂରତ୍ୱ କ୍ଷେପଣାସ୍ତ୍ର ନୁହେଁ ବରଂ ଅନ୍ୟ ଉଦ୍ଦେଶ୍ୟ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ। ଖୁବ୍ କମ୍ ଦାମରେ ଏହି ଯାନକୁ ସାଟେଲାଇଟ୍ ଲଞ୍ଚିଂରେ ମଧ୍ୟ ବ୍ୟବହାର କରାଯାଇପାରିବ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତା ପାଇଁ ଡିଆର୍ଡିଓକୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ଶ୍ରୀ ସିଂହ କହିଛନ୍ତି।