ନୂଆଦିଲ୍ଲୀ, ୧୯/୦୪ : ମହାକାଶରେ ଭାରତ ରଚିବ ଆଉ ଏକ ନୂଆ ଇତିହାସ । ଭାରତୀୟ ବାୟୁସେନା ଗ୍ରୁପର କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଆସନ୍ତା ମେ ମାସରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ । ଯାହା ଫଳରେ ୪୦ ବର୍ଷ ପରେ ଭାରତର ଏହି ସ୍ବପ୍ନ ପୂରଣ ହେବ । ଭାରତୀୟ ବାୟୁସେନା ଗ୍ରୁପର କ୍ୟାପଟେନ ଶୁଭାଂଶୁ ଶୁକ୍ଳା ମେ ମାସରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା କରିବେ । ଏହି ମିଶନ ୧୪ ଦିନ ଧରି ଚାଲୁ ରହିବ । ଏହି ମିଶନ ପ୍ରକ୍ରିୟାକୁ ବୈଜ୍ଞାନିକ ପଦ୍ଧତିରେ ପରୀକ୍ଷଣ କରାଯିବ । ସ୍ପେସଏକ୍ସ ଡ୍ରାଗନ କ୍ୟାପସୁଲରେ ମହାକାଶକୁ ଯାତ୍ରା କରିବେ । ଏହାର ଉତକ୍ଷେପଣ ଆମରିକାର ନାସାରୁ କରାଯିବ । ଏହି ଯାନର ସମସ୍ତ ପ୍ରସ୍ତୁତି ପରେ ଉତକ୍ଷେପଣର ତାରିଖ ଧାର୍ଯ୍ୟ କରାଯିବ । କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ମହାକାଶ ଯାତ୍ରାରେ ଭାରତ ଏକ ନିର୍ଣ୍ଣାୟକ ଅଧ୍ୟାୟରେ ପ୍ରବେଶ କରୁଛି । ନାସା ଏବଂ ଘରୋଇ ମହାକାଶ କମ୍ପାନୀ ଆକ୍ସିଅମ୍ ସ୍ପେସ୍ ସହିତ ଗତ ଆଠ ମାସ ଧରି ପ୍ରଶିକ୍ଷଣ ନେଉଥିବା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା ଏକ ଘରୋଇ ବାଣିଜ୍ୟିକ ମିଶନରେ ଆଇଏସଏସକୁ ଉଡ଼ାଣ ଭରୁଛନ୍ତି । ଯେଉଁଥିପାଇଁ ଭାରତ ୬୦ ମିଲିୟନ୍ ଡଲାର ପ୍ରଦାନ କରିଛି । ସ୍ପେସ୍ ଏକ୍ସ ଫାଲକନ-୯ ରକେଟ୍ରୁ ଏହି ଅଭିଯାନ ଆରମ୍ଭ ହେବ ଏବଂ ଆମେରିକାର ଫ୍ଲୋରିଡାର ସ୍ପେସ୍ ସେଣ୍ଟରରୁ ଉଡ଼ାଣ ଭରିଥିବା ଡ୍ରାଗନ୍ କ୍ୟାପସୁଲରେ ୪ ଜଣ ସଦସ୍ୟ ବସିବେ । ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ଲାଗି ଆକ୍ସିଓମ ମିଶନ4 ର ପାଇଲଟ ଭାବେ ତାଙ୍କୁ ଚୟନ କରାଯାଇଛି । ଶୁଭାଂଶୁଙ୍କ ଜନ୍ମ ୧୯୮୫ ମସିହା ଅକ୍ଟୋବର ୧୦ ତାରିଖରେ ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ହୋଇଥିଲା । ଜୁନ ୨୦୦୬ ରେ ଭାରତୀୟ ବାୟୁ ସେନାରେ ଫାଇଟର ପାଇଲଟ ଭାବରେ ସେ ଯୋଗଦାନ କରିଥିଲେ । ମାର୍ଚ୍ଚ ୨୦୨୪ ରେ ତାଙ୍କୁ ଗ୍ରୁପ କ୍ୟାପ୍ଟେନ ଦାୟିତ୍ବ ଦିଆଯାଇଥିଲା ।