ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କଲା ଭାରତ

କାନବେରା, ୨/୧୨ : କାନବେରାର ମାନୁକା ଓଭାଲ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଚଳିତ ସିରିଜର ତୃତୀୟ ଦିନିକିଆରେ ଭାରତ ୧୩ ରନରେ ବିଜୟ ହାସଲ କରିଛି। ତେବେ ପୂର୍ବରୁ ୨ଟି ମ୍ୟାଚ ଜିତିଥିବା ଅଷ୍ଟ୍ରେଲିଆ ଏହି ତିନିଟିକିଆ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତିନେଇଛି ।

ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍‌ ବିନିମୟରେ ୩୦୨ ରନ୍‌ ସଂଗ୍ରହ କରିଥିଲା। ଭାରତ ପ୍ରଥମେ ବ୍ୟାଟିଂ କରିଥିଲେ ହେଁ ପ୍ରାରମ୍ଭରୁ ଦଳ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା। ଆଜି ସବମନ୍‌ ଗିଲ୍‌ ଏବଂ ଶିଖର ଧୱନ ଓପନିଂ କରିଥିଲେ। ହେଲେ ୬ ଓଭରରେ ଦଳ ୨୬ ରନ୍‌ କରିଥିବାବେଳେ ଧୱନଙ୍କୁ ହରାଇଥିଲା। ଗିଲ୍‌ ମଧ୍ୟ ବେଶୀ ସମୟ ରହିପାରି ନ ଥିଲେ। ସେ ୩୯ ବଲ୍‌ରେ ୩୩ ରନ୍‌ କରିଥିଲେ।

୩ ନମ୍ବରରେ ଆସିଥିବା ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ସେ ୭୮ ବଲ୍‌ରେ ୬୩ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଏହା ପରେ ପରେ ଶେୟସ ଆୟାର ୧୯ ଓ କେ.ଏଲ. ରାହୁଲ ୫ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ୩୨ ଓଭରରେ ଦଳ ୧୫୨ ରନ୍‌ କରିଥିବାବେଳେ ମୂଲ୍ୟବାନ୍‌ ୫ଟି ଓ୍ବିକେଟ୍‌ ହରାଇ ଶୋଚନୀୟ ସ୍ଥିତିର ସମ୍ମୁଖୀନ ହୋଇଥିଲା।

କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ଧୈର୍ଯ୍ୟର ସହିତ ବ୍ୟାଟିଂ କରି ଆକର୍ଷଣୀୟ ଇନିଂସ ଖେଳିଥିଲେ। ଉଭୟେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳର ସ୍କୋରକୁ ୩୦୦ ପାର୍‌ କରାଇଥିଲେ। ଉଭୟଙ୍କ ଅର୍ଦ୍ଧଶତକୀୟ ଇନିଂସ ଯୋଗୁ ଟିମ୍‌ ଇଣ୍ଡିଆ ଏକ ସମ୍ମାନଜନକ ସ୍କୋର କରି ପାରିଥିଲା। ପାଣ୍ଡ୍ୟା ୭୫ ବଲ୍‌ରେ ୯୦ ରନ୍‌ ସଂଗ୍ରହ କରିଥିବାବେଳେ ସେଥିରେ ୭ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଅଛି। ସେହିପରି ଜାଡେଜା ୫୦ ବଲ୍‌ରେ ୫ ଚୌକା ଓ ୩ ଛକା ସହାୟତାରେ ୬୬ ରନ୍‌ କରିଥିଲେ। ପ୍ରଥମ ୨ଟି ମ୍ୟାଚରେ ଅଷ୍ଟ୍ରେଲିଆ ବିଜୟୀ ହୋଇ ସିରିଜକୁ ହାତେଇ ନେଇଥିଲେ ମଧ୍ୟ ଚୁଡାନ୍ତ ପରିରାମ ୨-୧ ରହିଛି। ହାର୍ଦ୍ଦିକ ପାଣ୍ଡ୍ୟା ପ୍ଲେୟାର ଅଫ୍ ଦ ମ୍ୟାଚ ହୋଇଥିବା ବେଳେ ସ୍ମିଥ ପ୍ଳେୟାର ଅଫ୍ ଦ ସିରିଜ୍ ହୋଇଛନ୍ତି।