ନୂଆଦିଲ୍ଲୀ,୧୯ /୧: ବ୍ରିସ୍ବେନ୍ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି । ୪ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ୨-୧ ରେ ଭାରତ ସିରିଜ ଜତିଛି। ପନ୍ତଙ୍କ ୧୩୮ ବଲରେ ୯ ଚୌକା ଓ ୧ ଛକା ସହ ଅପରାଜିତ ୮୯ ରନ୍ର ଇନିଂସ୍, ଗିଲ୍ ୧୪୬ ବଲରେ ୯୧ ଓ ପୂଜାରାଙ୍କ ୫୬ ରନର ଉପଯୋଗୀ ଇନିଂସ୍ ବଳରେ ଭାରତ ମ୍ୟାଚକୁ ୩ ୱିକେଟରେ ଜିତି ନେଇଛି।
ବ୍ରିସବେନ ଟେଷ୍ଟରେ ଭାରତ ବିଜୟ ହାସଲପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତର ବିଜୟ ପାଇଁ ମୁଁ ବହୁତ ଖୁସି ବୋଲି ଟ୍ବିଟ କରି ଜଣାଇଛନ୍ତି। ସେହିପରି ଭାରତର ଏହି ସ୍ମରଣୀୟ ବିଜୟ ପାଇଁ ବିସିସିଆଇ ପକ୍ଷରୁ ୫କୋଟି ଟଙ୍କାର ବୋନସ ଦିଆଯିବା ନେଇ ବୋର୍ଡ ସମ୍ପାଦକ ଜୟ ଶାହା ଟ୍ବିଟ କରି ସୂଚନା ଦେଇଛନ୍ତି।

ଟେଷ୍ଟ ସିରିଜ୍ରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳ ଏକାଧିକ ଉତ୍ଥାନ ପତନ ଦେଖା ଦେଇଥିଲା। ପ୍ରଥମ ଟେଷ୍ଟରେ ତା’ର ସର୍ବନିମ୍ନ ସ୍କୋର୍ ୩୬ ରନ୍ରେ ଅଲ୍ଆଉଟ ହେବା ପରେ ପରବର୍ତ୍ତୀ ଟେଷ୍ଟକୁ ଭାରତୀୟ ଦଳ ଜିତିଥିଲା। ୩ୟ ଟେଷ୍ଟରେ ଭାରତ ପରାଜୟ ସ୍ଥିତିରେ ଥିବା ବେଳେ ହନୁମା ବିହାରୀ ଓ ଆର୍. ଅଶ୍ବିନ ୪୨.୪ ଓଭର ଖେଳି ଦଳକୁ ପରାଜୟରୁ ବଞ୍ଚାଇଥିଲେ। ଚଳିତ ୪ର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆ ବଡ଼ ଲିଡ୍ ନେବାକୁ ଯାଉଥିବା ବେଳେ ୱାଶିଂଟନ ସୁନ୍ଦର ଓ ସାର୍ଦ୍ଦୁଳ ଠାକୁର ୩୬ ଓଭର ଖେଳି ଅଷ୍ଟ୍ରେଲିଆକୁ ମାତ୍ର ୩୩ ରନ୍ର ଲିଡ୍ ଦେଇଥିଲେ। ୪ର୍ଥ ଦିନରେ ଅଷ୍ଟ୍ରେଲିଆ ୨ୟ ଇନିଂସରେ ୨୯୪ ରନ୍କରି ଅଲ୍ଆଉଟ ହୋଇଥିଲା। ଫଳରେ ଭାରତକୁ ୨ୟ ଇନିଂସରେ ୩୨୮ ରନ୍ର ବିଜୟଲକ୍ଷ୍ୟ ମିଳିଥିଲା।

ଭାରତର ଓପନର ଶୁବମାନ ଗିଲ ଓ ଚେତେଶ୍ବର ପୂଜାରା ଗୁରୁତ୍ବ ପୂର୍ଣ୍ଣ ଇଂନିସ ଭାରତକୁ ବିଜୟ ଆଡକୁ ନେଇଥିଲା। ପରେ ଗିଲ ୯୧ କରି ଆଉଟ ହୋଇଥିଲେ। କ୍ୟାପଟେନ ଆଜିଙ୍କ୍ୟା ରାହାଣେ ୨୪ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ଚେତେଶ୍ବର ପୂଜାରା ଧୈର୍ଯ୍ୟ ପୂର୍ଣ୍ଣ ଇଂନିସ ଖେଳି ୫୬ ରନ କରି ଆଉଟ ହୋଇଥିଲେ। ପରେ ମୟଙ୍କ ଅଗ୍ରଓ୍ବାଲ ୯ ରନ କରି ଆଉଟ ହୋଇଥିଲେ। ଅନ୍ୟପଟେ ପନ୍ତ ଆଉ ଏକ ଗୁରୁତ୍ବ ପୂର୍ଣ୍ଣ ଇଂନିସ ଖେଳି ୮୯ରନ କରି ନଟ ଆଉଟ୍ ରହି ଭାରତକୁ ବିଜୟ କରାଇଥିଲେ। ଓ୍ବାସିଂଟନ ସୁନ୍ଦର ୨୨ରନ କରି ଆଉଟ ହୋଇଥିଲେ।