ନୂଆଦିଲ୍ଲୀ, ୮/୧୦ : ଆଜି ହେଉଛି ଭାରତୀୟ ବାୟୁସେନାର ୮୮ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଗାଜିଆବାଦର ହିନ୍ଦନ ଏୟାରବେସରେ ବାୟୁସେନା ନିଜର ଶକ୍ତି ପ୍ରଦର୍ଶନ କରିବ। ଏଥର ରାଫେଲକୁ ମଧ୍ୟ ଏୟାରଫୋର୍ସରେ ସାମିଲ କରାଯାଇଛି। ରାଫେଲ ବ୍ୟତୀତ ଅନ୍ୟାନ୍ୟ ବାୟୁସେନା ଯୁଦ୍ଧ ବିମାନ ଏହି ସମୟ ମଧ୍ୟରେ ନିଜର ଶକ୍ତି ପ୍ରଦର୍ଶନ କରିବ। ଏହି ଆୟୋଜନରେ ମୋଟ ୫୬ଟି ଲଢୁଆ ବିମାନ ଅଂଶଗ୍ରହଣ କରିଛନ୍ତି, ଏଥିରେ ରାଫେଲ ବ୍ୟତୀତ ଜାଗୁଆର, ତେଜସ ସମେତ ସୁଖୋଇ ଓ ମିରାଜ ମଧ୍ୟ ସାମିଲ ଅଛି ।
ଏଥି ପାଇଁ ପୁରା ପ୍ରସ୍ତୁତ ହୋଇ ରହିଛି ଗାଜିଆବାଦର ହିଣ୍ଡନ ଏୟାର ବେସ । ବାୟୁସେନା ଯବାନଙ୍କ ସମେତ ବିଭିନ୍ନ ବିମାନର ପାଇଲଟ, ପାରାଟ୍ରୁପରମାନେ ଅଭ୍ୟାସ କରିଛନ୍ତି । ହିଣ୍ଡନରେ ଫୁଲ ଡ୍ରେସ ରିହରସଲ ବି କରାଯାଇଛି । ସୀମାରେ ଉଭୟ ଚୀନ ଏବଂ ପାକିସ୍ତାନ ସହିତ ତିକ୍ତତା ଲାଗି ରହିଥିବା ବେଳେ ବାୟୁସେନା ଦିବସରେ ଭାରତର ଶକ୍ତି ପ୍ରଦର୍ଶନ ନିଶ୍ଚିତ ରୂପେ ଭାରତର ଶକ୍ତି ଜାହିର କରିବ । ଯାହା ଶତ୍ରୁ ଦେଶ ଗୁଡ଼ିକୁ ଭାରତ ସହିତ ଶତ୍ରୁତା କରିବାର ପରିଣାମ ବିଷୟରେ କଡ଼ା ସନ୍ଦେଶ ଦେବ । ତେବେ ପ୍ରତିଷ୍ଠା ଦିବସ ପାଳନ ପୂର୍ବରୁ ଏୟାର ଫୋର୍ସ ପକ୍ଷରୁ ୮୮ ବର୍ଷର ଯାତ୍ରାକୁ ନେଇ ଏକ ଫିଲ୍ମ ସେୟାର କରାଯାଇଛି । ଯାହା ବାୟୁସେନାର ସଫଳତାକୁ ପ୍ରଦର୍ଶନ କରୁଛି ।
ସୂଚନାଯୋଗ୍ୟ, ଭାରତୀୟ ବାୟୁସେନା ୧୯୩୨ ମସିହାରେ ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା । ସେହି ପୁରୁଣା ଦିନକୁ ମନେ ପକାଇ ଭାରତ ବାୟୁସେନା ଦିବସ ପାଳନ କରୁଛି ।