ନୂଆଦିଲ୍ଲୀ, ୧୯/୧୧ : ପାକିସ୍ତାନ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ବଙ୍କର ଉପରେ ଭାରତୀୟ ସେନା ‘ପିନପଏଣ୍ଟ ଷ୍ଟ୍ରାଇକ୍’ କରିଛି । ତେବେ ଏହି ଏୟାର ଷ୍ଟ୍ରାଇକରେ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି ।
ସୂଚନା ଅନୁଯାୟୀ, ପାକିସ୍ତାନ ଅକ୍ତିଆର ହୋଇଥିବା କାଶ୍ମୀର (ପିଓକେ)ରେ ଭାରତୀୟ ସେନା ଏୟାର ଷ୍ଟ୍ରାଇକ୍ କରିଛି । ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ଼କୁ ନିର୍ଦିଷ୍ଟ ଭାବରେ ଏଥିରେ ନିଶାଣ କରାଯାଇଛି । ପିଓକେରେ ପାକିସ୍ତାନ ସେନା ସମର୍ଥନରେ ଚାଲୁଥିବା ଭାରତ ବିରୋଧୀ ଆତଙ୍କବାଦ ବିରୋଧରେ ଏହା ବର୍ତ୍ତମାନ ସମୟର ସବୁଠୁ ବଡ଼ ଆକ୍ରମଣ । କୁହାଯାଉଛି ଯେ ପ୍ରବଳ ଥଣ୍ଡା ପୂର୍ବରୁ ଭାରତରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ନିମନ୍ତେ ପାକିସ୍ତାନ ଉଦ୍ୟମ ଚଳାଇଥିବା ସୂଚନା ପାଇ ପିଓକେରେ ଲଞ୍ଚ ପ୍ୟାଡ଼ ଓ ଆତଙ୍କବାଦୀ ବଙ୍କର ଉପରେ ଏହି ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ସଂକ୍ରାନ୍ତରେ ପାକ୍ ସରକାରଙ୍କ ପକ୍ଷରୁ କିମ୍ବା ଆତଙ୍କବାଦୀ ଗୋଷ୍ଠୀ ଏଯାଏ କିଛି ସୂଚନା ବା ବିବୃତି ଦେଇ ନାହାନ୍ତି । ସେନା ପକ୍ଷରୁ ମଧ୍ୟ ଏ ସଂକ୍ରାନ୍ତରେ କୌଣସି ବିବୃତି ଦିଆଯାଇ ନାହିଁ ।